Advertisement

ଅଞ୍ଜଳି, ଇବ୍ରାହିମ୍‌ଙ୍କୁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ର ଆବେଦନ: ରାଜଧାନୀରେ ବହୁ ବାଂଲାଦେଶୀ ଦେହଜୀବୀ

ଭୁବନେଶ୍ୱର,୨୫ା୧(ବ୍ୟୁରୋ) ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ରାଜଧାନୀ ସେକ୍ସ ରାକେଟ୍‌ କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଓ ସେକ୍‌ ଇବ୍ରାହିମ୍‌ଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି। ସେମାନେ ବାଂଲାଦେଶରୁ ଭୁବନେଶ୍ୱରକୁ ଏକାଧିକ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ କାୟାବିସ୍ତାର କରିଥିବା ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି। କିଛିଦିନ ତଳେ ଜଣେ ବାଂଲାଦେଶୀ ଗଣମାଧ୍ୟମକୁ ଅଞ୍ଜଳି ଦିଦି ୨୫ରୁ ଊର୍ଦ୍ଧ୍ୱ ବାଂଲାଦେଶୀ ଯୁବତୀଙ୍କୁ ରାଜଧାନୀକୁ ଆଣିଥିବା କହିଥିଲେ। ହେଲେ ପୁରୁଣା ଭୁବନେଶ୍ୱରରୁ ୬ ବାଂଲାଦେଶୀ ଦେହଜୀବୀ ଧରାହୋଇଥିବା ବେଳେ ଅନ୍ୟମାନେ ଏଯାବତ୍‌ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିନାହାନ୍ତି। ସେମାନଙ୍କୁ ଧରିବା ନେଇ ଏସ୍‌ଟିଏଫ୍‌ ଖୋଳତାଡ଼ ଜାରି ରଖିଛି। ଏପରି କି ଏସ୍‌ଟିଏଫ୍‌ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଅନେକ ତଦନ୍ତକାରୀ ସଂସ୍ଥାଙ୍କ ସହଯୋଗ ନେଇ ତଦନ୍ତ ଚଳାଇଛି।
ଅନ୍ୟପଟେ କିଙ୍ଗ୍‌ପିନ୍‌ ଅଞ୍ଜଳି ଦିଦି ଏବଂ ତାଙ୍କ ସ୍ବାମୀ ଇବ୍ରାହିମ୍‌ଙ୍କୁ ରିମାଣ୍ଡରେ ଆଣିବ ଏସ୍‌ଟିଏଫ୍‌। ଏନେଇ ଶୁକ୍ରବାର ଭୁବନେଶ୍ୱର କୋର୍ଟରେ ୫ ଦିନିଆ ରିମାଣ୍ଡ ପାଇଁ ଏସ୍‌ଟିଏଫ୍‌ ଆବେଦନ କରିଛି। ଏସ୍‌ଟିଏଫ୍‌ର ଏକ ଟିମ୍‌ ଅଞ୍ଜଳି ଦିଦିଙ୍କ ପିପିଲି ଦାନଗୋହିର ଘରକୁ ଯାଇ ଖୋଳତାଡ଼ କରିଥିବା ଜଣାପଡ଼ିଛି। ଉକ୍ତ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି, ଯେଉଁଥିରେ ସେମାନଙ୍କ ବାଂଲାଦେଶୀ ଯୁବତୀ ଚାଲାଣର ପୂରା ନକ୍ସା ମିଳିଛି। ସେହି ଆଧାରରେ ସେମାନଙ୍କୁ ପଚରାଉଚରା କରିବ। ସବୁଠାରୁ ବଡ଼ କଥା ହେଲା , ଅଞ୍ଜଳି ଦିଦି ଏବଂ ଇବ୍ରାହିମ୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ବାଂଲାଦେଶକୁ ଲକ୍ଷାଧିକ ଟଙ୍କାର ନେଣଦେଣ ହୋଇଥିବା ଜଣାପଡ଼ିଛି। ତେବେ ଟଙ୍କା କାହା ନିକଟକୁ ପଠାଯାଇଛି, ତାହା ଜଣାପଡ଼ି ନ ଥିବାବେଳେ ଅଞ୍ଜଳିଙ୍କ ଭଉଣୀ ଏବଂ ଭିଣୋଇଙ୍କୁ ଏହି ଟଙ୍କା ଯାଇଥିବା ଏସ୍‌ଟିଏଫ୍‌ ଅନୁମାନ କରୁଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share