ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌

ଜଗା କଲେଜରେ ପଢ଼େ। ନିଜେ ଅସୁବିଧାରେ ପଡିଲେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ପଛାଏ ନାହିଁ। ହେଲେ କଲେଜରେ ପଢ଼ିବା ସମୟରେ ତାକୁ ନିଜର ପ୍ରେମ ଜାଲରେ ବାନ୍ଧି ଦେଇଛି ରାଗିଣୀ ନାମ୍ନୀ ସୁନ୍ଦରୀ ଝିଅଟିଏ। ହେଲେ ଲଭ୍‌ ଚକ୍କରରେ ପଡିବାକୁ ଚାହେଁନା ଜଗା। ତେବେ ଜଗାକୁ ନେଇ ରାଗିଣୀ ଯେଉଁ ସ୍ବପ୍ନ ଦେଖିଛି ତାହା ସଫଳ ହେଉଛି ତ ? ପ୍ରଥମେ ପ୍ରେମ ବିଷୟରେ କିଛି ଜାଣି ନ ଥିବା ଜଗା ରାଗିଣୀକୁ ପ୍ରେମିକା ଭାବରେ ଗ୍ରହଣ କରୁଛି ତ ? ଏପରି ପ୍ରଶ୍ନର ଉତ୍ତର ରହିଛି ନିର୍ମାଣାଧୀନ ଓଡ଼ିଆ ସିନେମା ‘ଅଟୋଗ୍ରାଫ-ଏ ସାଇନ୍‌ ଅଫ ଲଭ୍‌’। ତେବେ ଏଭଳି ପ୍ରେମ କାହାଣୀରେ ଅଟୋଗ୍ରାଫ୍‌ର ଭୂମିକା କ’ଣ ତାହା ସିନେମାଟି ଦେଖିଲେ ହିଁ ଜାଣିପାରିବେ। ଏ.ଆର. ରହମନ ଏବଂ ପ୍ରସନ୍ନ ଦ୍ୱିବେଦୀଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ରମେଶ ରାଉତ। ଖାସ୍‌ କଥା ହେଲା, ଦୀପକଙ୍କ ଅପୋଜିଟ୍‌ରେ ଏଥିରେ ସ୍କ୍ରିନ୍‌ ଶେୟାର କରିଛନ୍ତି ମଡେଲିଂରୁ ବଡ ପରଦାରେ ପାଦ ରଖିବାକୁ ଯାଉଥିବା ନବାଗତା ସ୍ବାତୀ। ଦୀପକ-ସ୍ବାତୀ ଯୋଡି ବ୍ୟତୀତ ପିଣ୍ଟୁ ନନ୍ଦ, ପ୍ରତିଭା ପଣ୍ଡା, ଜୀବନ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ପୃଥ୍ବୀରାଜ ନାୟକ, ଅଶୋକ ଦାସ, ଗୁଡ୍ଡୁ, ଶକ୍ତି ବରାଳ ପ୍ରମୁଖ କଳାକାର। ଫିଲ୍ମର ଶୁଟିଂ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି ଏବଂ କେବଳ ଗୀତଗୁଡିକର ଶୁଟିଂ ବାକି ଅଛି ବୋଲି ସୂଚନା ଦେଇଛନ୍ତି ଦୀପକ।

Share