ଅଟୋରୁ ପ୍ରେମ, ବିବାହ ପରେ ନିର୍ଯାତନା

ଛତ୍ରପୁର,୩୦ା୧(ଡି.ଏନ.ଏ.): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏକ ଗାଁର ଜଣେ ବିବାହିତ ଅଟୋ ଚାଳକଙ୍କୁ ଉକ୍ତ ଗ୍ରାମର ଜଣେ ଯୁବତୀ ବିବାହ କରିବା ପରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସେ ସୋମବାର ଛତ୍ରପୁର ଆସି ଗଞ୍ଜାମ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଗାଁର ଜଣେ ବିବାହିତ ବ୍ୟକ୍ତିଙ୍କ ଅଟୋରେ ଯୁବତୀ ଜଣକ ମୁରୁଜ ବେପାର କରିବା ଲାଗି ବିଭିନ୍ନ ଗ୍ରାମାଞ୍ଚଳକୁ ଯାଉଥିଲେ। ସେହି ସମୟ ମଧ୍ୟରେ ଅଟୋଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ଚାଳକ ଜଣକ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲେ। ଏପରିକି ତାଙ୍କ ସହ ବିବାହ କରିବାକୁ ଚାପ ପକାଇ ଆସୁଥିଲେ ବୋଲି ନିର୍ଯାତିତା ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି। ଅଟୋ ଚାଳକ ଜଣଙ୍କ ବିବାହିତ । ତାଙ୍କର ୩ଟି ସନ୍ତାନ ଥିବାରୁ ଯୁବତୀ ଜଣକ ବିବାହ ପାଇଁ ରାଜି ହେଉ ନ ଥିଲେ। ପରେ ଉଭୟେ ପଳାସପୁର ଗାଁର କାଳୀ ମନ୍ଦିରରେ ବିବାହ କରିଥିଲେ। ପରେ ତାଙ୍କୁ ଭଡା ଘରେ ରଖିଥିଲେ। କିଛିଦିନ ପରେ ସ୍ବାମୀ ନିର୍ଯାତନା ଦେବା ଆରମ୍ଭ କରିବା ସହ ଆଉ ପାଖରେ ରଖିବେନି ମନା କରିଥିଲେ। ଏନେଇ ମହିଳା ଜଣଙ୍କ ପାଟପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଅଭିଯୁକ୍ତ ଅଟୋଚାଳକ ଗିରଫ ହୋଇ ଜେଲ ଯାଇଥିଲେ । ଜାମିନରେ ଜେଲରୁ ବାହାରିବା ପରେ ପୁଣି ନିର୍ଯାତନା ଦେଉଥିବା ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ମା’ଙ୍କ ଘରେ ରହୁଥିବା ବେଳେ ଏବେ ୫ ମାସର ଗର୍ଭବତୀ ଅଛନ୍ତି। ପାଟପୁର ଥାନା ପୋଲିସ ନ ଶୁଣିବାରୁ ନ୍ୟାୟ ପାଇଁ ଏସ୍‌ପିଙ୍କ ନିକଟକୁ ମା’, ପରିବାରବର୍ଗ ଏବଂ ସାମାଜିକ କର୍ମୀ ପାର୍ବତୀ ବେହେରାଙ୍କ ସହ ଆସିଥିବା ମହିଳା ଜଣଙ୍କ କହିଛନ୍ତି।

Share