Categories: ବାଣିଜ୍ୟ

ଅଟୋଶିଳ୍ପ ମାନ୍ଦାବସ୍ଥାର ତଜର୍ମା ହେବ

ନୂଆଦିଲ୍ଲୀ,୨-୧୧: ଦେଶର ଅଟୋମୋବାଇଲ ଶିଳ୍ପରେ ଆସିଥିବା ମାନ୍ଦାବସ୍ଥାର ତଜର୍ମା ଶିଳ୍ପ ସଂକ୍ରାନ୍ତ ସଂସଦୀୟ କମିଟି କରିବ। ଏହି ଶିଳ୍ପରେ ସ୍ଥିତାବସ୍ଥା ଲାଗି ସରକାର କିଭଳି ବ୍ୟବସ୍ଥା ଗ୍ରହଣ କରିଛନ୍ତି ତାହା କମିଟି ତଦାରଖ କରିବ। ବିଭିନ୍ନ ପ୍ରସଙ୍ଗ ମଧ୍ୟରୁ ବିଭିନ୍ନ ବିଭାଗ ସହ ଜଡିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟୟନ କରିବା ସହ ଅଂଶୀଦାରଙ୍କ ସହ ଆଲୋଚନା ମଧ୍ୟ କରିବ। ଏଥିରୁ ବାହାରିଥିବା ନିର୍ଯାସକୁ ରିପୋର୍ଟ ଭାବେ ସଂସଦରେ ଉପସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି। ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟ ଏସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟ ଲାଗି ଫର୍ମାଟ ପ୍ରସ୍ତୁତ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଦିଗ ଉପରେ ଏହି କମିଟି ବିଚାର କରିବ। ପ୍ରଥମ କେତୋଟି ବୈଠକରେ ଅଟୋ ଶିଳ୍ପର ମାନ୍ଦାବସ୍ଥା ଏହାର ପୁନରୁଦ୍ଧାର ଉପରେ ବିଚାର କରାଯିବ। ପ୍ରଥମ ବୈଠକରେ ଲଘୁ ଉଦ୍ୟୋଗ ମନ୍ତ୍ରଣାଳୟର ସଚିବ ସଂସଦୀୟ କମିଟି ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ରଖିବେ। ଏବେ ଅଟୋ ଶିଳ୍ପରେ ମାନ୍ଦାବସ୍ଥା ଯୋଗୁ ବିଭିନ୍ନ ମାନୁଫାକଚରର ସେମାନଙ୍କ ଉତ୍ପାଦନ କମାଇଛନ୍ତି। ଏକ ଅଧ୍ୟୟନ ମୁତାବକ ଦେଶର ଅଟୋ ଶିଳ୍ପ ପ୍ରତ୍ୟକ୍ଷ ଭାବେ ୮ ନିୟୁତ ଲୋକଙ୍କୁ ନିଯୁକ୍ତି ଦେଇଥିବା ବେଳେ ପରୋକ୍ଷ ଭାବେ ୨୯ ନିୟୁତ ଲୋକଙ୍କୁ ରୋଜଗାର ଦେଇଛି। ଏହାର କାରବାର ୮.୨ ଲକ୍ଷ କୋଟି ଟଙ୍କା ରହିଛି। ଦେଶର ମୋଟ ମାନୁଫାକଚରିଂ କ୍ଷେତ୍ରର ଏହା ୪୯% ଅଂଶ ହାସଲ କରିଛି।

Share