ଅଟୋ ଓଲଟି ଜଣେ ମୃତ: ୨ ଗୁରୁତର

ଚାନ୍ଦବାଲି,୧୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ମତୋ-ନାନ୍ଦପୁର ପ୍ରଧାନମନ୍ତ୍ରୀ ଗ୍ରାମସଡ଼କର କରାଣ୍ଡିମାଳ ଛକ ନିକଟରେ ସୋମବାର ରାତିରେ ଏକ ଯାତ୍ରିବାହୀ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଟୋ ଓଲଟି ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାଧପୁର କଣ୍ଡିଆସାହି ଗ୍ରାମର ମହେଶ୍ୱର ଦାସ(୫୫) ଏବଂ ଗୁରୁତରଦ୍ୱୟ ଗୟାଧର ଦାସ(୫୦) ଓ ଅମର ଦାସ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଅଟୋଟି ରାତି ୯ଟା ବେଳେ ପ୍ରାୟ ୧୦ଜଣ ଯାତ୍ରୀଙ୍କୁ ନେଇ ମତୋ ବଜାରରୁ ମାଧପୁର ଅଭିମୁଖେ ଫେରୁଥିଲା। ପାଣି ପାଇପ୍‌ ଲାଇନ ବିଛା ହେବାକୁ ରାସ୍ତାକଡ଼ରେ ଖୋଳାହୋଇ ଜମା ହୋଇଥିବା ମାଟି ଉପରକୁ ଗାଡ଼ି ମାଡ଼ି ଯାଇଥିଲା। ଫଳରେ ଗାଡ଼ି ରାସ୍ତାର ଡାହାଣପାର୍ଶ୍ୱକୁ ଖସିଯାଇ ଏକ ଗଛରେ ପିଟି ହୋଇଥିଲା। ଖବର ପାଇ ମତୋ ଫାଣ୍ଡି, ଚାନ୍ଦବାଲି ଥାନା ପୋଲିସ, ଆମ୍ବୁଲାନ୍ସ ଓ ଦମକଳ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ଚାନ୍ଦବାଲି ଡାକ୍ତରଖାନାକୁ ପଠାଇଛି।

Share