ଅଟୋ-କାର ଧକ୍କା: ଜଣେ ମୃତ, ୧୫ ଆହତ

ଢେଙ୍କିକୋଟ,୨୭ା୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନଂ. ଜାତୀୟ ରାଜପଥ ବରବେଡ଼ା ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଗୋଟିଏ କାର ଅଟୋକୁ ଧକ୍କା ଦେବା ଫଳରେ ଅଟୋଟି ଜାତୀୟ ରାଜପଥରୁ ୩୦ ଫୁଟ ତଳକୁ ଖସିପଡ଼ିଛି। ଅଟୋରେ ଥିବା ୧୫ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦାଶ ମୁଣ୍ଡା । ଗୁରୁତର ହେଲେ ପ୍ରମିଳା ନାଏକ, ଫୁଲରୀ ନାଏକ, ଲବଣୀ ନାଏକ, ସୁକୁମାରୀ ନାଏକ, ଗୁରୁଚରଣ ନାଏକ, ଗୀତାଞ୍ଜଳି ମହାନ୍ତ, ସୁକାନ୍ତି ନାଏକ, ଶୁଭଶ୍ରୀ ନାଏକ, ବିକାଶ ମହାନ୍ତ, ସସ୍ମିତା ମହାନ୍ତ, ସମ୍ବିତ ନାଏକ, ମଙ୍ଗଳ ନାଏକ, ଶୁଭି ନାଏକ, ବୁଲୁରି ନାଏକ, ଶିବ ନାଏକ।
ସୂଚନାଯୋଗ୍ୟ, ସଦର ବ୍ଲକ କାଠବାରୀ ପଞ୍ଚାୟତ କାଠବାରୀ ଗ୍ରାମ ବାହାଡ଼ା ବାହାଳି ସାହିର ସୁରେଶ ନାଏକ ତାଙ୍କ ଶିଶୁକନ୍ୟାର ଚୁଟି ପକାଇବା ପାଇଁ ଘଟଗାଁ ତାରିଣୀଙ୍କ ପାଖକୁ ବନ୍ଧୁବାନ୍ଧବଙ୍କ ସହ ୨ଟି ଅଟୋରିକ୍ସା ଯୋଗେ ଯାଇଥିଲେ। ଚୁଟିପକା କାର୍ଯ୍ୟ ସାରି ଅପରାହ୍ନରେ ଘରକୁ ଫେରୁଥିବା ସମୟରେ ଏକ ମାରୁତି କାର୍‌ (ନଂ. ଓଡି ୦୨ଏଏସ୍‌-୫୧୨୯) ଦ୍ରୁତଗତିରେ ଆସି ପଛପଟୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତାପାର୍ଶ୍ୱରେ ୩୦ ଫୁଟ ତଳକୁ ଛିଟିକି ପଡ଼ିଥିଲା। ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅଟୋରେ ଥିବା ସମସ୍ତ ୧୬ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲେ। ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ଦାଶ ମୁଣ୍ଡା(୫୦)ଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୧୫ ଜଣ ଚିକିତ୍ସିତ ହେଉଛନ୍ତି। ଏ ନେଇ ଘଟଗାଁ ଥାନାରେ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରାଯାଇଛି। ଢେଙ୍କିକୋଟ ଫାଣ୍ଡି ପୋଲିସ ଉଭୟ କାର୍‌ ଓ ଅଟୋକୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।

Share