Categories: ଗଞ୍ଜାମ

ଅଟୋ ଚଳାଇବେ, ପେଟ୍ରୋଲ ପମ୍ପରେ ରହିବେ ମହିଳା

ଛତ୍ରପୁର,୨୫ା୭(ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଆହୁରି କ୍ରିୟାଶୀଳ କରିବା ସହ ମହିଳା ସଂଘ ସଦସ୍ୟାମାନଙ୍କୁ ଆମତ୍ନିର୍ଭରଶୀଳ କରାଯିବ। ବୁଧବାର ଏ ନେଇ ଛତ୍ରପୁରସ୍ଥିତ ଡିଆରଡିଏ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଚାଷୀଙ୍କଠାରୁ ଧାନ କିଣିବା, ବିଦ୍ୟୁତ୍‌ ଗ୍ରାହକଙ୍କଠାରୁ ବିଲ୍‌ ଆଦାୟ କରିବାରେ ମହିଳା ସଂଘ ସଦସ୍ୟମାନେ ସାମିଲ ଅଛନ୍ତି। ଜିଲାର ୨୨୦ ମହିଳା ସଂଘକୁ ବିଦ୍ୟୁତ ବିଲ୍‌ ସଂଗ୍ରହ କରିବାକୁ ଦାୟିତ୍ୱ ଦିଆଯାଇଛି। ଛତ୍ରପୁର ବ୍ଲକର ମହିଳା ସଂଘ ଗୋଲାପ ଚାଷ କରୁଛି, ଯାହାକି ଓଡିଶାରେ ପ୍ରଥମ ବୋଲି ଜିଲାପାଳ କହିଥିଲେ। ମହିଳା ସଂଘ ସଦସ୍ୟମାନଙ୍କୁ ଆହୁରି ବିଭିନ୍ନ କାର୍ଯ୍ୟରେ ସାମିଲ କରି ସେମାନଙ୍କ ନିଯୁକ୍ତି ବ୍ୟବସ୍ଥା ନେଇ ବିଭିନ୍ନ ବିଭାଗ ପ୍ଲାନ୍‌ ପ୍ରସ୍ତୁତ କରି ୭ ଦିନ ମଧ୍ୟରେ ଦେବାକୁ ଜିଲାପାଳ ବୈଠକରେ କହିଥିଲେ। ମହିଳା ସଂଘର ସଦସ୍ୟାମାନେ ଅଟୋ ଓ କାର୍‌ ଚଳାଇବାଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପରେ ତେଲ ଦେବା, ଓଏସ୍‌ଆରଟିସି ବସ୍‌ରେ କଣ୍ଡକ୍ଟର, ମହମବତୀ ଓ ଧୂପକାଠି ପ୍ରସ୍ତୁତି, ବିଭିନ୍ନ ହସ୍ତଶିଳ୍ପରେ ନିୟୋଜିତ ହେବେ। ଏନେଇ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲାପାଳ କହିଛନ୍ତି। ବୈଠକରେ ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ ପାଣିଗ୍ରାହୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀଙ୍କ ସମେତ ସିଡିପିଓମାନେ ଉପସ୍ଥିତ ଥିଲେ।