Advertisement

ଅଟୋ ରିକ୍ସା ଧୋଇବାକୁ ନେବାବେଳେ ଦୁର୍ଘଟଣା; ଖସି ପଡି ଶିଶୁ ମୃତ, ଚଳାଉଥିବା ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର, ୧୨ା୮(ଡି.ଏନ.ଏ.): କେନ୍ଦୁଝର ସଦର ଥାନା ଅନ୍ତର୍ଗତ କେରୀ ଗ୍ରାମରେ ପିଉସା ଘରେ ରହି ପାଠ ପଢ଼ୁଥିବା ରାଜା ମହାନ୍ତ ନାମକ ଜଣେ ୧୦ମ ଶ୍ରେଣୀର ଛାତ୍ର ରବିବାର ଏକ ଅଟୋ ଧୋଇବାଲାଗି ନିକଟସ୍ଥ ନାଳକୁ ଯାଇଥିବା ସମୟରେ ସେଥିରେ ବସିଥିବା ଜଣେ ଗୁରୁଚରଣ ମହାନ୍ତ (୪) ନାମକ ଶିଶୁ ତଳକୁ ଖସିପଡ଼ିଥିଲେ। ଅଟୋ ରିକ୍ସାର ଚକ ତାଙ୍କ ଉପରେ ଚଢ଼ିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ଶିଶୁଟି ମୃତ୍ୟୁବରଣ କରିଥିବା ଆଶଙ୍କାରେ ଅଟୋ ଚଳାଉଥିବା ରାଜା ମାନସିକ ଭାରସାମ୍ୟ ହରାଇ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଉଭୟଙ୍କୁ ଗାଁ ଲୋକେ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ଶିଶଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଘଟଣା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଅନ୍ୟପକ୍ଷେ ଏହି ଦୁର୍ଘଟଣାକୁ କେନ୍ଦ୍ର କରି ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ପୋଲିସ ଶିଶୁ ପୁତ୍ରର ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ପୋଲିସ ସୂଚନା ଅନୁଯାୟୀ ରବିବାର ସକାଳେ ରାଜା ଅଟୋ ରିକ୍ସା ଧୋଇବା ପାଇଁ ଏକ ନାଳ ପାଖକୁ ଯାଇଥିଲେ। ତାଙ୍କ ସହିତ ଗାଁର ଭାଗୀରଥି ମହାନ୍ତଙ୍କ ୪ବର୍ଷର ପୁଅ ଗୁରୁଚରଣ ଯାଇଥିଲେ। ଅଟୋ ଧୋଇସାରି ଫେରୁଥିବା ସମୟରେ ଅଟୋରେ ବସିଥିବା ଏହି ଶିଶୁ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଥିଲେ। ଏହାପରେ ରାଜା ବିଷ ପିଇ ଗୁରୁତର ହୋଇଥିଲେ। ସଦର ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଜାରି ରଖିଥିବା କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share