Categories: ବାଣିଜ୍ୟ

ଅଟୋ ସେକ୍ଟରରେ ଚାକିରି ହରାଇଲେ ୨ଲକ୍ଷ

ନୂଆଦିଲ୍ଲୀ,୫-୮: ଦେଶରେ ମାନ୍ଦାବସ୍ଥା ମାଡି ଆସୁଛି। ଏହାର ସବୁଠୁ ବେଶି ପ୍ରଭାବ ଅଟୋ ସେକ୍ଟର ଉପରେ ପଡିଛି। କାର୍‌, ବାଇକ ବିକ୍ରି ହ୍ରାସ ପାଇବା କାରଣରୁ ସାରା ଦେଶରେ ଅଟୋ ଡିଲର ନିଜର କର୍ମଚାରୀ ସଂଖ୍ୟା କମାଇବାରେ ଲାଗିପଡିଛନ୍ତି। ଉଦ୍ୟୋଗ ସଂଗଠନ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ(ଫାଡା) ପକ୍ଷରୁ କୁହାଯାଇଛି ଯେ,ଗତ ୩ ମାସ ହେବ ଗାଡ଼ି ବିକ୍ରି ହ୍ରାସ ପାଇ ଚାଲିଛି। ଏହି କାରଣରୁ ଡିଲରମାନେ ଏହି ସମୟ ମଧ୍ୟରେ ପ୍ରାୟ ୨ ଲକ୍ଷ କର୍ମଚାରୀଙ୍‌କୁ ଛଟେଇ କରିସାରିଲେଣି। ନିକଟ ଭବିଷ୍ୟତରେ ସ୍ଥିତିରେ ସୁଧାର ହେବାର ସମ୍ଭାବନା ନାହିଁ। ଏହି କାରଣରୁ ସୋ’ରୁମ୍‌ ସବୁ ବନ୍ଦ ହେବାରେ ଲାଗିଛି। ଏହି କାରଣରୁ ଛଟେଇ ପ୍ରକ୍ରିୟା ଜାରି ରହିବାର ସମ୍ଭାବନା ରହିଛି। ଚଳିତ ଆର୍ଥିକ ବର୍ଷ ଏପ୍ରିଲ-ଜୁନ ତ୍ରୈମାସରେ ସମସ୍ତ ସେଗମେଣ୍ଟରେ ଗାଡ଼ି ବିକ୍ରି ୧୨.୩୫% ହ୍ରାସ ପାଇ ୬୦,୮୫,୪୦୬ ଯୁନିଟ ହୋଇଛି। ଫାଡା ଅଧ୍ୟକ୍ଷ ଆଶୀଷ ହର୍ଷରାଜ କାଲେ କହିଛନ୍ତି ଯେ, ସାରା ଦେଶରେ ୧୫ ହଜାର ଡିଲର ଦ୍ୱାରା ପରିଚାଳିତ ୨୬ ହଜାର ଗାଡ଼ି ସୋ’ରୁମ୍‌ରେ ପ୍ରାୟ ୨୫ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ରୂପରେ ଚାକିରି ମିଳିଛି। ସେହିପରି ସମସଂଖ୍ୟକ ଲୋକ ଅପ୍ରତ୍ୟକ୍ଷ ରୂପେ ରୋଜଗାର ପାଉଛନ୍ତି। ଚଳିତ ବର୍ଷ ଏପ୍ରିଲ ସୁଦ୍ଧା ୧୮ ମାସ ମଧ୍ୟରେ ଦେଶରେ ୨୭୧ ସହରରେ ୨୮୬ ଗାଡି ସୋ’ରୁମ୍‌ ବନ୍ଦ ହୋଇଗଲାଣି। ଫଳରେ ୩୨ ହଜାର ଲୋକ ନିଯୁକ୍ତି ହରାଇଛନ୍ତି। ଏଥିସହିତ ଅତିରିକ୍ତ ଭାବେ ୨ ଲକ୍ଷ ଲୋକଙ୍କୁ ଚାକିରିରୁ ବିଦା କରାଯାଇଛି ବୋଲି କାଲେ କହିଛନ୍ତି।

Share