Categories: ଜାତୀୟ

ଆଇଏଏସ୍‌ ଅଧିକାରୀଙ୍କ ଇସ୍ତଫା

ମାଙ୍ଗାଲୁରୁ, ୭ା୯(ପି.ଟି.) : କର୍ନାଟକର ଆଇଏଏସ୍‌ ଅଫିସର ତଥା ଦକ୍ଷିଣ କନ୍ନଡ଼ ଜିଲାର ଡେପୁଟି କମିଶନର ଶଶିକାନ୍ତ ସେନ୍ଥିଲ ଶୁକ୍ରବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ନିଷ୍ପତ୍ତି ବ୍ୟକ୍ତିଗତ ବୋଲି ସେ ଦର୍ଶାଇଥିଲେ ହେଁ ସରକାରଙ୍କ ଗଣତାନ୍ତ୍ରିକ କାର୍ଯ୍ୟଧାରା ନେଇ ପ୍ରଶ୍ନ ଉଠାଇଛନ୍ତି। ଅଭୂତପୂର୍ବ ଭାବେ ଗଣତନ୍ତ୍ର ସହ ସାଲିସ୍‌ କରିବାକୁ ପଡ଼ୁଛି ବୋଲି ସେ ଅଭିଯୋଗ କରିିଛନ୍ତି। ତେଣୁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି। ଆଗାମୀ ଦିନଗୁଡ଼ିକ ଅଧିକ କଷ୍ଟସାଧ୍ୟ ହେବ ବୋଲି ସେ ଅନୁଭବ କରିଥିବା ଚିଠିରେ ଦର୍ଶାଇଛନ୍ତି।
ଆଇଏଏସ୍‌ ଅଧିକାରୀ ଶଶିକାନ୍ତଙ୍କ ଇସ୍ତଫାକୁ ନେଇ କଂଗ୍ରେସ ପକ୍ଷରୁ ମାଙ୍ଗାଲୁରୁରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବରିଷ୍ଠ କଂଗ୍ରେସ ନେତା ଏମ୍‌. ମଲ୍ଲିକାର୍ଜୁନ ଖାର୍ଗେ ଏନେଇ ସରକାରଙ୍କୁ ସମାଲୋଚନା କରିବା ସହ ଦେଶରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଭୁଶୁଡ଼ିବାରେ ଲାଗିଛି ବୋଲି ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ଆୟକର ବିଭାଗ, ସିବିଆଇ, ସିଭିସି, ଏମିତିକି ନ୍ୟାୟପାଳିକା ଭଳି ଅନୁଷ୍ଠାନ ସେମାନଙ୍କର ସ୍ବାଧୀନତା ହରାଇବାକୁ ବସିଲେଣି ବୋଲି ସେ ଅଭିଯୋଗ କରିଛନ୍ତି। ୨୦୦୯ ବ୍ୟାଚ୍‌ ତାମିଲନାଡ଼ୁ କ୍ୟାଡର୍‌ର ଆଇଏଏସ୍‌ ଅଫିସର ଶଶିକାନ୍ତ ୨୦୧୭ରେ ଦକ୍ଷିଣ କନ୍ନଡ଼ର ଡେପୁଟି କମିଶନର ଭାବେ ନିିଯୁକ୍ତି ପାଇଥିଲେ।

Share