ଅଟୱାଲରେ ପଡ଼ିଲା ତାଲା : ସଙ୍କଟରେ ଶ୍ରମିକ, କର୍ମଚାରୀଙ୍କ ଜୀବିକା

ଯାଜପୁର ଅଫିସ/ସୁକିନ୍ଦା (ଡି.ଏନ.ଏ.),୨ା୯ : ବିଭିନ୍ନ କାରଣରୁ ଦୁର୍ବଳ ଆର୍ଥିକ ସ୍ଥିତି ଦର୍ଶାଇ ଟାଟା ଷ୍ଟିଲ ଖଣି ଅଧୀନ ଅଟୱାଲ କାରଖାନାରେ ରବିବାର ତାଲା ପଡିଛି। ଏଥିଯୋଗୁ ପ୍ରାୟ ୩୫୦ ଜଣ ଶ୍ରମିକ ଓ କର୍ମଚାରୀଙ୍କ ପେଟପାଟଣା ବିପଦରେ ପଡିଛି। ଏଥିଯୋଗୁ ପୁଞ୍ଜୀଭୂତ ଅସନ୍ତୋଷ ଉଗ୍ରରୂପ ଧାରଣ କରି ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚଳାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଏହି ମାମଲାକୁ ନେଇ ଟାଟା ଓ ଅଟୱାଲ ମଧ୍ୟରେ ଶୀତଳଯୁଦ୍ଧ ଆରମ୍ଭ ହୋଇଯାଇଛି। ଘଟଣାକ୍ରମକୁ ନେଇ ଟାଟା ଓ ଅଟୱାଲ କର୍ତ୍ତୃପକ୍ଷଙ୍କ ବୟାନ ବାଜିରେ ତାଳମେଳ ରହୁ ନ ଥିବା ପରିଲକ୍ଷିତ ହେଉଛି। ନିଜ ନାମ ଗୋପନ ରଥିବା ସର୍ତ୍ତରେ କେତେକ କର୍ମଚାରୀ କହିଛନ୍ତି ଯେ, ରେସିଡେନ୍ସିଆଲ ମ୍ୟାନେଜର (ଆରଏମ)ଙ୍କ ମନମୁଖି ନୀତି ପାଇଁ ଅଟୱାଲରେ କାର୍ଯ୍ୟରତ ଶ୍ରମିକଙ୍କ ଭାଗ୍ୟ ଦୋଛକିରେ ଠିଆ ହୋଇଛି। ସୁଚନାଯୋଗ୍ୟ ଯେ, ୧୯୮୪ ମସିହାରୁ ଟାଟା ଖଣି ସହ ଚୁକ୍ତି କରି ଅଟୱାଲ କାର୍ଯ୍ୟ କରି ଆସୁଛି। ବିଭିନ୍ନ ସମୟରେ ଶ୍ରମିକ ମାନେ ୟୁନିୟନ ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଅଟୱାଲ ନିକଟରେ ଦାବି ଉପସ୍ଥାପନ କରି ଆସୁଥିଲେ। ତେବେ ଗତ ୨୦୧୪-୨୦୧୫ ଠାରୁ ରାଜନୈତିକ ହସ୍ତକ୍ଷେପ ଯୋଗୁ ୟୁନିୟନ ଦୁଇଭାଗ ହୋଇଛି। ଏ ସଂକ୍ରାନ୍ତରେ ଅଟୱାଲର ଆଞ୍ଚଳିକ ପରିଚାଳକ(ଆରଏମ) ମଳୟ ରଞ୍ଜନ ପଟ୍ଟନାୟକଙ୍କୁ ପଚାରିବାରୁ, ଟାଟାର ଏଗ୍ରିମେଣ୍ଟ ଅନୁଯାୟୀ ବିଗତ କିଛି ବର୍ଷ ହେବ ଖଣିର କ୍ରମଶଃ ଗଭୀରତା ବୃଦ୍ଧି ପାଉଛି। ଏଥିଯୋଗୁ ଖର୍ଚ୍ଚ ବଢୁଛି। ଖଣି ଭିତରେ ସହଜ ଓ କଠିନ କାମ ଚାଲିଛି। ସହଜ କାର୍ଯ୍ୟରେ ପାରିଶ୍ରମିକ ମିଳୁଛି, କିନ୍ତୁ କଠିନ କାର୍ଯ୍ୟରେ ସେଭଳି ପାରିଶ୍ରମିକ ମିଳୁନାହିଁ। ଯେଉଁ ପରିମାଣର ତେଲ ବିନିଯୋଗ ହେଉଛି, ସେହି ତୁଳନାରେ ଅର୍ଥ ମିଳୁନାହିଁ। ତେଣୁ କାରଖାନାକୁ ବନ୍ଦ କରିବାକୁ ପଡିଲା ବୋଲି ସେ କହିଛନ୍ତି। ଟାଟା ଖଣିର ମୁଖ୍ୟ ପ୍ରବନ୍ଧକ ରାଜେଶ ପଟେଲ କହିଛନ୍ତି ଅଟୱାଲ ସହ ଚୁକ୍ତି ଅନୁଯାୟୀ ସମସ୍ତ ଖର୍ଚ୍ଚର ଅର୍ଥ ପ୍ରଦାନ କରାଯାଉଛି। ତେବେ ଶ୍ରମିକ ଓ କର୍ମଚାରୀଙ୍କୁ ଅଟୱାଲ ଠିକ ସମୟରେ ପ୍ରାପ୍ୟ ଦେଉ ନ ଥିବାରୁ ଏଭଳି ପରିସ୍ଥିତି ଉପୁଜିଛି।