ଲକ୍ଷ୍ନୌ,୮।୧୨: ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଏକ ଘର ମଧ୍ୟ ଯୋଗାଇ ଦେବାକୁ ଘୋଷଣା କରାଯାଇଛି। ଏହାପରେ ବି ଅଡି ବସିଛନ୍ତି ପୀଡିତାଙ୍କ ପରିବାର। ତାଙ୍କ ଭଉଣୀ କହିଛନ୍ତି ଯେପର୍ଯ୍ୟନ୍ତ ଯୋଗୀ ଆଦିତ୍ୟନାଥ ତାଙ୍କ ଘରକୁ ଆସି ନାହାନ୍ତି ସେପର୍ଯ୍ୟନ୍ତ ସେମାନେ ମୃତଦେହ ସଂସ୍କାର କରିବେ ନାହିଁ। ଏହାସହ ଏକ ସରକାରୀ ଚାକିରି ମଧ୍ୟ ଦାବି କରିଛନ୍ତି ପୀଡିତା ଭଉଣୀ। ରବିବାର ସକାଳ ୧୦ଟାରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରାଯିବାକୁ ଥିବା ବେଳେ ପରିବାର ଲୋକଙ୍କ ଏଭଳି ଜିଦ୍ ଏବେ ପୁଣି ସମସ୍ୟା ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଉନ୍ନାଓ ବଳାତ୍କାର ପୀଡିତାଙ୍କ ମୃତ ଶରୀର ଶନିବାର ରାତିରେ ତାଙ୍କ ଗାଁରେ ପହଞ୍ଚିଥିଲା।