ଅଡୁଆରେ ଅଭିନେତା ସୁରଜ ପାଞ୍ଚୋଲି

ମୁମ୍ବାଇ: ବଲିଉଡ୍‌ର ଦିବଂଗତ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ମା’ ରାବିଆ ଖାନ୍‌ ଅଭିନେତା ସୁରଜ ପାଞ୍ଚୋଲିଙ୍କ ବିରୋଧରେ ମୁମ୍ବାଇ କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି। ଆଦିତ୍ୟ ପଞ୍ଚୋଲି ଏବ ଜରିନା ଓ୍ବହାବଙ୍କ ପୁଅ ସୁରଜ ତାଙ୍କ ପ୍ରେମିକା ଜିଆଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଦୋହରାଇଛନ୍ତି ରାବିଆ। ରାବିଆ କହିଛନ୍ତି, ଜିଆ ଏବଂ ସୁରଜ ସୋସିଆଲ ମିଡିଆରେ ବନ୍ଧୁ ହୋଇଥିଲେ। ପରେ ୨୦୧୨ ଅକ୍ଟୋବର ସୁଦ୍ଧା ଦୁହେଁ ଲିଭ୍‌-ଇନ୍‌ ରହିବା ଆରମ୍ଭ କରିଥିଲେ। କିନ୍ତୁ ଦୁହିଁଙ୍କ ମଧ୍ୟରେ କୌଣସି କାରଣ ନେଇ ଝଗଡା ସହ ମାର୍‌ପିଟ୍‌ ମଧ୍ୟ ହୋଇଥିଲା। ଏହି ଝଗଡା ବିଷୟରେ ଜିଆଙ୍କ ମା’ ରାବିଆ ଜାଣିବାକୁ ପାଇଥିଲେ। ଏହାପରେ ଜିଆ ସୁରଜଙ୍କୁ ଆଉ ଏକ ସୁଯୋଗ ଦେଇଥିଲେ। ହେଲେ ସୁରଜଙ୍କ ଭିତରେ କୌଣସି ପରିବର୍ତ୍ତନ ଦେଖାଦେଇ ନ ଥିଲା। ସୁରଜ ଜିଆଙ୍କୁ ତାଙ୍କ ସାଙ୍ଗମାନଙ୍କ ସହ ଜାଣିଶୁଣି ଭେଟ କରାଉଥିଲେ। ଏଥିସହ ସେ ଅନ୍ୟ ଝିଅଙ୍କ ସହ ଫ୍ଲଟିଂ କରୁଥିଲେ। ଏପରିକି ଜିଆଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ରାବିଆ କୋର୍ଟରେ ଅଭିଯୋଗ ଆଣିଛନ୍ତି। ୨୦୧୩ରେ ଅଭିନେତ୍ରୀ ଜିଆ ନିଜ ଘରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପାଇଁ ସୁରଜ ଜିଆଙ୍କୁ ବାଧ୍ୟ କରିଥିବା ମଧ୍ୟ ରାବିଆ କହିଛନ୍ତି। ପୂର୍ବରୁ ଅଭିନେତା ସୁରଜଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଛି। ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ମାମଲାରେ ସୁରଜ ଏବେ ଜାମିନରେ ଅଛନ୍ତି। ସୁରଜଙ୍କୁ ୨୦୨୧ରେ ଶେଷଥର ପାଇଁ ଫିଲ୍ମ ‘ଟାଇମ୍‌ ଟୁ ଡ୍ୟାନ୍ସ’ରେ ଦେଖିବାକୁ ମିଳିଥିଲା। ତାଙ୍କ ଆଗାମୀ ଫିଲ୍ମ ‘ହୱା ସିଂ’ ଅକ୍ଟୋବର ୮ରେ ରିଲିଜ୍‌ ହେବାକୁ ଯାଉଛି।

Share