ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୫ ହଜାର ପାର ହୋଇଯାଇଛି। ଉଭୟ ସଂଖ୍ୟା ସପ୍ତାହେ ହେଲା ଦ୍ରୁତଗତିରେ ବଢ଼ିଚାଲିଛି, ଯାହା ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ବୈଜ୍ଞାନିକମାନେ ପ୍ରତିଷେଧକ ଟିକା ଉଦ୍ଭାବନ, ପ୍ରଭାବୀ ଉପଚାର ଖୋଜିବାରେ ଲାଗିଥିବାବେଳେ ଯେଭଳି ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଚିହ୍ନଟ ହୋଇପାରିବ ସେଥିପାଇଁ ଟେଷ୍ଟ କିଟ୍‌ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସମ୍ପ୍ରତି କୋଭିଡ୍‌-୧୯ ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ପ୍ରାୟ ୨ଦିନ ଲାଗୁଛି। କିନ୍ତୁ ଏହି ଟେଷ୍ଟକୁ ମାତ୍ର ଅଢ଼େଇ ଘଣ୍ଟାରେ କରିହେବ। ଏଭଳି ଦାବି କରିଛି ଜର୍ମାନ କମ୍ପାନୀ ରବର୍ଟ ବୋସ୍କ ଜିଏମ୍‌ବିଏଚ୍‌। କାରଣ କମ୍ପାନୀ ଦ୍ୱାରା ବିକଶିତ ହୋଇଛି ଏକ ଟେଷ୍ଟ କିଟ୍‌, ଯାହା କମ୍‌ ସମୟ ମଧ୍ୟରେ ଜଣାଇଦେବ କରୋନା ପଜିଟିଭ ନା ନେଗେଟିଭ।
କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭୋଲକମର୍‌ ଡେନର୍‌ କହିଛନ୍ତି ଯେ, ନୂତନ ପରୀକ୍ଷଣରେ ଭାଇଭାଲିଟିକ୍‌ ମଲିକୁଲାର ଡାଏଗ୍ନୋଷ୍ଟିକ ପ୍ଲାଟଫର୍ମ ବ୍ୟବହାର କରାଯାଇଛି, ଯାହା କମ୍ପାନୀର ସ୍ବାସ୍ଥ୍ୟସେବା ବିଭାଗ ଦ୍ୱାରା ପ୍ରସ୍ତୁତ। ଜୀବାଣୁ ଓ ଭୂତାଣୁ ଦ୍ୱାରା ସଂକ୍ରମିତ ଜ୍ୱର, କାଶ, ସର୍ଦ୍ଦି ଏବଂ ନିମୋନିଆ ଭଳି ରୋଗକୁ ଚିହ୍ନିବା ପାଇଁ ଏହି ଉପକରଣ ପୂର୍ବରୁ ହସ୍ପିଟାଲ, ଲାବୋରେଟୋରି ଏବଂ ଚିକିତ୍ସା ଅଭ୍ୟାସରେ ବ୍ୟବହୃତ ହେଉଛି। ଏହା ଏପ୍ରିଲରେ ଜର୍ମାନୀରେ ଉପଲବ୍ଧ ହେବା ପରେ ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେବ।
ଯଥାଶୀଘ୍ର ସମ୍ଭବ କୋଭିଡ୍‌-୧୯କୁ ଚିହ୍ନଟ କରାଗଲେ ତାହାର ବିସ୍ତାରକୁ ନିୟନ୍ତ୍ରଣ କରିହେବ। ଦକ୍ଷିଣ କୋରିଆରେ ଶୀଘ୍ର ଚିହ୍ନଟ ହୋଇପାରିବା କାରଣରୁ ରୋଗୀ ଓ ମୃତ୍ୟୁ ସଂଖ୍ୟା ବ୍ୟାପକ ହେବାରୁ ରୋକାଯାଇପାରିଛି। କିନ୍ତୁ ଇଟାଲୀ ଏବଂ ଆମେରିକାରେ ପରୀକ୍ଷଣର ଅଭାବ ଯୋଗୁ ସଂକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି।

Share