ଅଢ଼େଇ ମାସର ଅପହୃତ ଶିଶୁପୁତ୍ର ଉଦ୍ଧାର, ସମ୍ପର୍କୀୟଙ୍କ ଘରୁ ଉଠାଇ ନେଇଥିଲେ କାମ କରୁଥିବା ମହିଳା

ପାରାଦୀପ,୨୧।୪(ସ୍ବ.ପ୍ର.): ପାରାଦୀପ ମଡେଲ ଥାନା ଅନ୍ତର୍ଗତ ଲକପଡ଼ାରୁ ଅପହୃତ ହୋଇଥିବା ଅଢ଼େଇ ମାସର ଶିଶୁପୁତ୍ରଙ୍କୁ ବୁଧବାର ସକାଳେ ପୋଲିସ ଉଦ୍ଧାର କରିଛି। ଅପହରଣକାରୀ ମହିଳା ମାମିନା ସାହୁଙ୍କୁ ପୋଲିସ ଅଟକ ରଖିଥିବା ବେଳେ ଅପରାହ୍ନରେ ଶିଶୁପୁତ୍ର ଓ ତାଙ୍କ ମା’ବାପାଙ୍କୁ ଜିଲା ଶିଶୁ ମଙ୍ଗଳ ଅଧିକାରୀ ହସ୍ତାନ୍ତର କରିଛନ୍ତି। ତେବେ କେଉଁ କାରଣ ଲାଗି ମହିଳାଜଣଙ୍କ ଶିଶୁପୁତ୍ରଙ୍କୁ ଅପହରଣ କରି ନେଇଥିଲେ ସେ ବିଷୟରେ ପୋଲିସ ବିଶେଷ ସୂଚନା ଦେବାକୁ ମନା କରିଛି।

ସୂଚନାଯୋଗ୍ୟ, ଜଗତସିଂହପୁର ବାଲିକୁଦା ଥାନା ଅନ୍ତର୍ଗତ ତିତିରା ଗ୍ରାମର ଶତ୍ରୁଘ୍ନ ସାମଲ ଗତ ୧୭ ତାରିଖରେ ଶିଶୁପୁତ୍ରକୁ ନେଇ ପାରାଦୀପ ବୁଲିବାକୁ ଆସିଥିଲେ। ଲକପଡ଼ାର କୃଷ୍ଣ ପୃଷ୍ଟି ତାଙ୍କର ସମ୍ପର୍କୀୟ ହୋଇଥିବାରୁ ତାଙ୍କ ଘରେ ରହିଥିଲେ। ତେବେ ପୃଷ୍ଟିଙ୍କ ଘରେ କାମ କରୁଥିବା ମାମିନା ୧୮ ତାରିଖରେ ଶିଶୁପୁତ୍ରକୁ ନେଇ ଫେରାର ହୋଇଯାଇଥିବା ଶତ୍ରୁଘ୍ନ ଅଭିଯୋଗରେ ଦର୍ଶାଇଛନ୍ତି। ମାମିନା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅନ୍ତର୍ଗତ ସୁନିତୀ ଗ୍ରାମର ସପନ ମାନ୍ନାଙ୍କ ଘରେ ଶିଶୁଟକୁ ରଖିଥିବା ଜଣାପଡ଼ିଛି।