ଅଢ଼େଇ ହଜାରରେ ଫୋନ୍‌ ବିକି ଖାଦ୍ୟ ଆଣିଥିଲେ ଦାଦନ

ଗୁରୁଗ୍ରାମ,୧୯।୪: ଲକ୍‌ଡାଉନ୍‌ ଯୋଗୁ ଗରିବ, ନିରାଶ୍ରୟ ଲୋକଙ୍କ ମୁଣ୍ଡବ୍ୟଥା ବଢ଼ିଛି। କାମଧନ୍ଦା ବନ୍ଦ ହୋଇଯିବା ପରେ ପରିବାର ପୋଷିବା ସେମାନଙ୍କ ଲାଗି କଷ୍ଟକର ହୋଇପଡ଼ିଛି। ଅନେକେ ଖାଇବାକୁ ମୁଠେ ପାଉନାହାନ୍ତି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଗୁରୁଗ୍ରାମସ୍ଥିତ ଏକ ବସ୍ତିରେ। ଭୋକ ଉପାସରେ ଆଉଟପାଉଟୁ ହେଉଥିବା ପରିବାର ଲୋକଙ୍କ ମୁହଁରେ ଦାନା ଦେବା କଷ୍ଟକର ହେବାରୁ ମୁକେଶ ନାମକ ଜଣେ ଯୁବକ ଶେଷରେ ନିଜ ଫୋନ୍‌ ବିକ୍ରି କରିଥିଲେ। ସେଥିରୁ ମିଳିଥିବା ୨,୫୦୦ ଟଙ୍କାରେ ଘର ପାଇଁ ଅଟା, ଚାଉଳ, ଚିନି ଓ ୪ ପିଲା ଶୋଇବା ଲାଗି ଏକ ଟେବୁଲ ଫ୍ୟାନ୍‌ ଆଣିଥିଲେ। ବଳିଥିବା ଟଙ୍କା ସ୍ତ୍ରୀଙ୍କୁ ଦେଇ ଆରପଟ ଘରେ ବେକରେ ରଶିଲଗାଇ ଆତ୍ମହତ୍ୟା କରିଥିଲେ। ସ୍ତ୍ରୀ ପୁନମ୍‌ଙ୍କ ପାଖରେ ଯାହା ଟଙ୍କା ଥିଲା ସ୍ବାମୀଙ୍କ ଶେଷକୃତ୍ୟରେ ଖର୍ଚ୍ଚ ହୋଇଗଲା। ଏବେ ୪ ପ୍ରାଣୀ କୁଟୁମ୍ବଙ୍କୁ ଧରି ପୁନମ୍‌ ଅସହାୟ ସ୍ଥିତିରେ ଅଛନ୍ତି। ଡିଏଲ୍‌ଏଫ୍‌ ଫେଜ୍‌-୫ର ସରସ୍ବତୀ କୁଞ୍ଜ ବସ୍ତିରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି।
ମୁକେଶ ପେସାରେ ଜଣେ ରଙ୍ଗ ମିସ୍ତ୍ରି ଥିଲେ। କାମ ନ ମିଳିବାରୁ ତାଙ୍କ ସମସ୍ୟା ବଢ଼ିଥିଲା। କିଛିଦିନ ଦିନମଜୁରିଆ ଭାବେ ମଧ୍ୟ ସେ କାମ କରିଥିଲେ। ହେଲେ ଲକ୍‌ଡାଉନ୍‌ ପରେ ସମ୍ପୂର୍ଣ୍ଣ ଭାବେ କାମଧନ୍ଦା ବନ୍ଦ ହୋଇଯିବାରୁ ପରିବାର ପୋଷିବା କଷ୍ଟକର ହୋଇପଡ଼ିଲା। କିଛି ଋଣ କରିଥିବା ବେଳେ ତାକୁ ଶୁଝିପାରି ନ ଥିଲେ।

Share