ତେହରାନ,୯-୬: ଆମେରିକା ପକ୍ଷରୁ ଆର୍ଥିକ କଟକଣା ଲାଗୁ କରାଯାଇଥିବା ବେଳେ ଇରାନ ଏହାର ଗଳାବାଟ ବାହାର କରି ଅଶୋଧିତ ତେଲ ବିକୁଛି ବୋଲି କହିଛି। ଦେଶର ତୈଳ ମନ୍ତ୍ରୀ ବିଜାନ ନାମଦାର ଜାନଗାନେହ ଏକ ସାକ୍ଷାତକାର ବେଳେ କହିଛନ୍ତି ଯେ, ତାଙ୍କ ଦେଶ ଅଣପାରମ୍ପରିକ ଢଙ୍ଗରେ ଅଶୋଧିତ ତେଲ ବିକୁଛି। ଅତି ଗୋପନ ଭାବେ ତେଲ ବିକ୍ରି ଚାଲିଛି। କାରଣ ଆମେରିକା ଜାଣିପାରିଲେ ଏହାକୁ ରୋକିଦିଆଯିବ ବୋଲି ସେ କହିଛନ୍ତି। ତେବେ ଇରାନ ଏବେ କେତେ ତେଲ ରପ୍ତାନି କରୁଛି ସେ ସମ୍ପର୍କରେ ଜାନଗାନେହ କିଛି କହି ନ ଥିଲେ। କଟକଣା ପ୍ରତ୍ୟାହାର ନ ହେବ ପର୍ଯ୍ୟନ୍ତ ସେ ଏ ସମ୍ପର୍କରେ ସୂଚନା ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନାଥାଉ କି, ଇରାନ ସହ ହୋଇଥିବା ପରମାଣୁ ଚୁକ୍ତିରୁ ଆମେରିକା ଏକତରଫା ଓହରି ଯାଇଥିଲା। ଏହାପରେ ଇରାନ ବିରୋଧରେ ଆମେରିକା ଆର୍ଥିକ କଟକଣା ଲାଗୁ କରିଛି। ଏହା ଗତବର୍ଷ ନଭେମ୍ବରରୁ କାର୍ଯ୍ୟକାରୀ ହୋଇଛି। ତେବେ ଭାରତ ସମେତ ୮ ଦେଶକୁ ଆମେରିକା ୬ ମାସ ପାଇଁ କଟକଣା କୋହଳ କରିଥିଲା, ଯାହା ମେ’ରେ ଶେଷ ହୋଇଛି। ଏକ ହିସାବରୁ ଜଣାପଡିଛି ଯେ, କଟକଣା ପୂର୍ବରୁ ଇରାନ ଅକ୍ଟୋବରରେ ଦୈନିକ ୧.୫ ମିଲିୟନ ଟନ ଅଶୋଧିତ ତେଲ ରପ୍ତାନି କରୁଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ ଏହା ଦୈନିକ ୭୫୦,୦୦୦ ବ୍ୟାରେଲକୁ ଖସିଆସିଥିଲା।