ଅଣପାରମ୍ପରିକ ହେବ ଆଗାମୀ ଅତିରିକ୍ତ ବଜେଟ

ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ଆଣିବାକୁ ଯାଉଛନ୍ତି। ହେଲେ ଏହାକୁ ପୂର୍ବପରି ପାରମ୍ପରିକ ବଦଳରେ ସମ୍ପୂର୍ଣ୍ଣଭାବେ ସମଯୋଜନ(ଆଡ୍‌ଜଷ୍ଟମେଣ୍ଟ) ବଜେଟ୍‌ କରିବା ପାଇଁ ଅର୍ଥ ବିଭାଗ ପରାମର୍ଶ ଦେଇଛି। ବିଶ୍ୱବ୍ୟାପୀ ଦେଖାଦେଇଥିବା ମାନ୍ଦାବସ୍ଥା ପ୍ରଭାବରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।
ଗତ ୨୭ରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ.କେ. ମୀନାଙ୍କ ପକ୍ଷରୁ ଏନେଇ ରାଜ୍ୟ ପ୍ରଶାସନରେ କାର୍ଯ୍ୟରତ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ସଚିବ, କମିଶନର ତଥା ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ରୁଟିନ୍‌ ପ୍ରକ୍ରିୟା ଦ୍ୱାରା ଅତିରିକ୍ତ ବଜେଟ୍‌ ପ୍ରସ୍ତୁତ କରା ନ ଯାଉ। ଯଥାସମ୍ଭବ ଖର୍ଚ୍ଚ କାଟ କରାଯାଉ, ଅନାବଶ୍ୟକ ଭାବେ ଅର୍ଥ ବିଭାଗକୁ ଅନୁଦାନ ମାଗନ୍ତୁ ନାହିଁ। ଅନ୍ୟ ଯୋଜନା ଖର୍ଚ୍ଚ ହୋଇ ନ ପାରି ରହିଥିବା ବଳକା ଅର୍ଥକୁ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ପ୍ରଶାସନିକ ବ୍ୟୟ ସମ୍ପର୍କିତ ପ୍ରସ୍ତାବକୁ ଆସନ୍ତା ମାସ ୨୨ ସୁଦ୍ଧା ଅର୍ଥ ବିଭାଗରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହି ପ୍ରସ୍ତାବ ଯୋଜନା ଓ ସଂଯୋଜନା ବିଭାଗକୁ ପଠାଯିବ। ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ବ୍ୟୟବରାଦ ସେପ୍ଟେମ୍ବର ଶେଷସୁଦ୍ଧା ପୂର୍ବ ବ୍ୟୟବରାଦର ୪୦ ପ୍ରତିଶତ ଖର୍ଚ୍ଚ ହୋଇ ନ ଥିଲେ ଅତିରିକ୍ତ ବ୍ୟୟବରାଦ କରାଯିବ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ହେଲେ ରାଜ୍ୟ ସରକାର ଅତ୍ୟାବଶ୍ୟକ ଯୋଜନାକୁ ନିଶ୍ଚିତ ଗୁରୁତ୍ୱ ଦେବେ ବୋଲି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Share