ଅଣସରରେ ହୁଅନ୍ତି ନୂଆ ଦଇତାପତି

ପୁରୀ ଅଫିସ, ୨୫।୬: ଦଇତାପତି। ଶ୍ରୀମନ୍ଦିରର ସେବକ। ବର୍ଷର ବିଭିନ୍ନ ସମୟରେ ମହାପ୍ରଭୁଙ୍କ ସେବା ଥିଲେ ମଧ୍ୟ ଏମାନଙ୍କ ମୁଖ୍ୟସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ରହିଥାଏ। ଏହି ସମୟରେ ଦେବସ୍ନାନ ପୂର୍ଣ୍ଣିମା, ଅଣସର, ରଥଯାତ୍ରା, ବାହୁଡ଼ା, ସୁନାବେଶ, ଅଧରପଣା, ନୀଳାଦ୍ରିବିଜେ ପ୍ରଭୃତି ଦଇତାପତିମାନେ ସମ୍ପନ୍ନ କରିଥାନ୍ତି। ଏହି ପର୍ବପର୍ବାଣିରେ ନିଷ୍ଠା ଓ ଶୁଦ୍ଧପୂତ ଭାବେ ରହି ଏମାନେ ଦାରୁଦିଅଁଙ୍କ ସେବା କରିଥାନ୍ତି। ସ୍ନାନପୂର୍ଣ୍ଣିମା ପରେ ବର୍ତ୍ତମାନ ଚତୁର୍ଦ୍ଧାବିଗ୍ରହ ଅଣସର ଘରେ ରହିଛନ୍ତି। କେବଳ ଦଇତାପତିମାନେ ମହାପ୍ରଭୁଙ୍କ ସେବା କରୁଛନ୍ତି। ଏହି ଅଣସର ସମୟରେ ହିଁ ନୂଆ ଦଇତାପତି ହେବାର ବିଧି ରହିଛି। ସୋମବାର ଦୋଳମଣ୍ଡପ ସାହି ଦଇତାଗଳିର ବିଜୟାନନ୍ଦ ଦାସମହାପାତ୍ରଙ୍କ କୁନିପୁଅ ଯୁବରାଜ ଦାସମହାପାତ୍ର (୬ମାସ) ଦଇତାପତି ଭାଗାରୀ ଭାବେ ଗଣ୍ୟ ହୋଇଛନ୍ତି। ବିଜୟାନନ୍ଦ କହିଛନ୍ତି, ପୁଅ ଆଜି ପ୍ରଥମଥର ସେବାରେ ଯୋଗଦେଇ ଅଣସର ତାଟିରେ ପଶିଲା। ମହାପ୍ରଭୁଙ୍କୁ ଭେଟି ଦେଇ ଦର୍ଶନ କଲା ଏବଂ ଭୋଗ ଖାଇଲା।
ଏ ସମ୍ପର୍କରେ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଯଦି କୌଣସି ଦଇତାପତି ପରିବାରରେ ପିଲାଟିଏ ଜନ୍ମ ହୋଇଥାଏ ଏବଂ ଅଣସର ସମୟରେ ଏକୋଇଶିଆ ଛୁଅଁା ଯାଇଥାଏ ତେବେ ସେ ଦଇତାପତି ଭାଗାରୀ ଭାବେ ଗଣ୍ୟ ହୁଅନ୍ତି। ସେହି କୁନିପିଲା ଅଣସର ଘରେ ପ୍ରବେଶ କରିବା ପରେ ଦଇତାପତି ମାନ୍ୟତା ପାଇଥାନ୍ତି।

Share