Categories: ଜାତୀୟ

ଅଣ୍ଡା ମାଡ଼ କରି କହ୍ନେୟା କୁମାରଙ୍କୁ ବିରୋଧ

ଜମୁଇ,୧୦।୨: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ) ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପା ନେତା କହ୍ନେୟା କୁମାରଙ୍କ ଉପରକୁ ସୋମବାର ପୁଣି ଥରେ ଆକ୍ରମଣ ହୋଇଛି। ବିହାରର ଜମୁଇରୁ ନଓ୍ବାଡାକୁ ତାଙ୍କ ରାଲି ଯାଉଥିବା ବେଳେ ରାସ୍ତାରେ କେହି ଦୁର୍ବୃତ୍ତ ଅଣ୍ଡା ଓ ମୋବିଲ ଅଏଲ୍‌ ଫୋପାଡ଼ିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସିଏଏ ଓ ଏନ୍‌ଆରସି ବିରୋଧରେ ଜାନୁୟାରୀ ୩୦ରୁ କହ୍ନେୟା ଏକ ‘ଜନ ଗଣ ମନ’ ଶୋଭଯାତ୍ରା ଆରମ୍ଭ କରିଛନ୍ତି। ଏହା ୧ ମାସ ଧରି ଚାଲିବାକୁ ଥିବା ବେଳେ ରବିବାର ଏହି ଶୋଯାତ୍ରାରେ ଜମୁଇରେ ପହଞ୍ଚିଥିଲା। ସେଠାରେ ଏକ ଜନସଭାକୁ ସମ୍ବୋଧିତ କରି କହ୍ନେୟା ସେଠାରେ ରାତ୍ରିଯାପନ କରିଥିଲେ। ସୋମବାର ପୁଣି ତାଙ୍କ ରାଲି ଆରମ୍ଭ ହୋଇଥିଲା। ମହିସୋରୀ ବସ୍‌ ଷ୍ଟାଣ୍ଡ ନିକଟରେ ଏହି ରାଲି ପହଞ୍ଚିଥିବା ବେଳେ ସେଠାକାର ଲୋକ ତାଙ୍କୁ ବିରୋଧ କରିବା ସହ ସ୍ଲୋଗାନ ଦେଇଥିଲେ। ଏଥିସହ ତାଙ୍କ ଉପରକୁ ଅଣ୍ଡା ଓ ମୋବିଲ ଅଏଲ ଫୋପାଡ଼ିଥିଲେ। ପରେ ଏହାକୁ ନେଇ କହ୍ନେୟାଙ୍କ ସମର୍ଥକ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ସେଠାରେ ଉପସ୍ଥିତ ଥିବା ପୋଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ମାମଲା ଶାନ୍ତ ପଡ଼ିଥିଲା ଏବଂ କହ୍ନେୟାଙ୍କ ରାଲି ଆଗକୁ ବଢ଼ିଥିଲା। ତେବେ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

Share