ଅଣ୍ଡା ଯୋଗାଣରେ ଅନିୟମିତତା ନେଇ ଦିଗପହଣ୍ଡି ସିଡିପିଓଙ୍କ ବଦଳି

ଦିଗପହଣ୍ଡି,୨୫।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସିଡିପିଓ ଯଶୋବନ୍ତି ସାହୁଙ୍କୁ ହଠାତ୍‌ ବଦଳି କରାଯାଇ। ରବିବାର ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସିଡିପିଓଙ୍କୁ ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ପ୍ରୋଗ୍ରାମ ଅଫିସରଭାବେ ଅବସ୍ଥାପିତ କରାଯାଇଥିବା ଜଣାପଡିଛି। ଦିଗପହଣ୍ଡି ବିଡିଓ ହଳଧର ଶବରଙ୍କୁ ଅସ୍ଥାୟୀଭାବେ ସିଡିପିଓ ଦାୟିତ୍ୱ ଦିଆଯାଇଛି। ସୋମବାର ବିଡିଓ ସିଡିପିଓଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ଦିଗପହଣ୍ଡି ବ୍ଲକରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ନିମନ୍ତେ ଉଦ୍ଦିଷ୍ଟ ଅଣ୍ଡା ଯୋଗାଣରେ ଅନିୟମିତତା ହୋଇଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସିଡିପିଓଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିବାସହ ବଦଳି କରିଥିବା ଜଣାପଡିଛି। ଦିଗପହଣ୍ଡି ବ୍ଲକର ପଞ୍ଜିକୃତ ଗର୍ଭବତୀ ଓ ପ୍ରସୂତିଙ୍କୁ ମାସିକ ୧୨ଟି ଅଣ୍ଡା ବଦଳରେ ୫ଟି ଅଣ୍ଡା ମିଳୁଥିଲା। ପ୍ରାକ୍‌ ବିଦ୍ୟାଳୟରେ ପଞ୍ଜିକୃତ ଶିଶୁଙ୍କୁ ମାସିକ ୨୦ଟି ଅଣ୍ଡା ବଦଳରେ ୬ଟି ଅଣ୍ଡା ମିଳୁଥିବା ନେଇ ଏକ ନିର୍ଦ୍ଦିଷ୍ଟ ମିଡ଼ିଆରେ ଖବର ପ୍ରସାରଣ କରାଯାଇଥିଲା। ଏ ନେଇ ପ୍ରଶାସନିକ ତଦନ୍ତ ହେବା ପରେ ସିଡିପିଓଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି। ସିଡିପିଓଙ୍କୁ ପଚାରିବାରୁ ଅଣ୍ଡା ବଣ୍ଟନରେ କୌଣସି ଅନିୟମିତତା ହୋଇ ନ ଥିବା ସେ କହିଛନ୍ତି।

Share