ନୂଆଦିଲ୍ଲୀ, ୨୩।୬: କଂଗ୍ରେସ ଅଧ୍ୟକ୍ଷ ପଦରେ ରାହୁଲ ଗାନ୍ଧୀ ରହିବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଥିବାବେଳେ ଦଳର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅଣ-ଗାନ୍ଧୀ ପରିବାର ବ୍ୟକ୍ତିଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯାଉ ବୋଲି ସେ ଯୁକ୍ତି ବାଢିଛନ୍ତି। କେହି ଜଣେ ଗାନ୍ଧୀ ପରିବାର ବାହାରୁ ଦଳର ସଭାପତି ହେଲେ କିଛି ସମସ୍ୟା ନାହିଁ, କିନ୍ତୁ ଗାନ୍ଧୀ ପରିବାର ସକ୍ରିୟ ରହିବା ଆବଶ୍ୟକ ବୋଲି ସେ ମନ୍ତବ୍ୟ ଦେଇଛନ୍ତି। ଗାନ୍ଧୀ ପରିବାର ବିନା କଂଗ୍ରେସ ତିଷ୍ଠିବା ସମ୍ଭବ ନୁହେଁ। ରାହୁଲ ଦଳର ଅଧ୍ୟକ୍ଷ ରହିବାକୁ ସମସ୍ତେ ଚାହାନ୍ତି, କିନ୍ତୁ ରାହୁଲ ଏହି ପଦରେ ରହିବାକୁ ଚାହୁଁନାହାନ୍ତି। ତାଙ୍କ ଇଚ୍ଛାକୁ ସମ୍ମାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପାଇଁ ଅଡି ବସିଛନ୍ତି।