ଅତାବିରାରେ ଯୋଗାଣ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ସରଣ୍ଡା,୧୯।୧୧(ଡି.ଏନ.ଏ.):ବରଗଡ ଜିଲାର ଅତାବିରାରେ ଚାଷୀ ଆନ୍ଦୋଳନ ମଙ୍ଗଳବାର ଦିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ପାଇଁ ଜନସମର୍ଥନ ମିଳୁଛି। ଚାଷୀମାନେ ରାଜ୍ୟ ସରକାରଙ୍କ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବରଗଡ ଡିଆରଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଚାଷୀମାନେ ସରକାର କରିଥିବା ଟୋକନ ବ୍ୟବସ୍ଥାକୁ ବିରୋଧ କରୁଥିବାବେଳେ ଏହାର ସମାଧାନ କରାଯାଉ ନାହିଁ। ଏ ସରକାର ଚାଷୀଙ୍କ ସରକାର ବୋଲି କହୁଥିବାବେଳେ ଚାଷୀଙ୍କ ପେଟରେ ଲାତ ମାରିବା ଭଳି କାର୍ଯ୍ୟ କରାଯାଉଛି ବୋଲି ଚାଷୀମାନେ କହିଛନ୍ତି। ଚାଷୀମାନଙ୍କ ସମସ୍ୟା ଦୂର କରିବା ପରିବର୍ତ୍ତେ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଉଛି। ଏହାକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଏହି ଅଞ୍ଚଳର ସମସ୍ତ ଚାଷୀ ମିଶି ଗତ ଦୁଇଦିନ ହେଲା ଧାନ ବିକ୍ରୟ ବନ୍ଦ କରି ଶାନ୍ତିଶୃଙ୍ଖଳା ସହ ଆନ୍ଦୋଳନ କରିଛନ୍ତି। ସେମାନେ ସରକାରୀ ଅଫିସଗୁଡିକ ବନ୍ଦ କରିଛନ୍ତି। ବୁଧବାର ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ କରାଯିବ ବୋଲି ଚାଷୀମାନେ ନିଷ୍ପତ୍ତି ନେଇଛନ୍ତି। ଅପରାହ୍ନରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ଆଲୋଚନା ବିଫଳ ରହିଥିବା ଜଣାପଡିଛି।

Share