ଅତିଥି ବେଶରେ ଆସି ବିବାହ ଉତ୍ସବରୁ ଗହଣା ବ୍ୟାଗ୍‌ ଲୁଟିଲେ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଆପଣ କୌଣସି ମଣ୍ଡପରେ ବିବାହ ପାର୍ଟି କରୁଛନ୍ତି କି। ସେଠାକୁ ଏକାଧିକ ଅତିଥିଙ୍କୁ ଆମନ୍ତ୍ରିତ କରୁଛନ୍ତି କି। ତେବେ ଅଜଣା ଅତିଥିଙ୍କୁ ସାବଧାନ ହୋଇଯାଆନ୍ତୁ। କାରଣ ଭିଆଇପି ଅତିଥି ବେଶରେ ବୁଲୁଛନ୍ତି ଲୁଟେରା ଓ ହାଇପ୍ରୋଫାଇଲ୍‌ ଚୋର। ସେମାନେ ଚକ୍‌ଚକ୍‌ କରୁଥିବା ଦାମୀ ଶାର୍ଟ, ଭଲ ବ୍ରାଣ୍ଡ୍‌ର ଜୋତା ପିନ୍ଧି ଉତ୍ସବକୁ ଆସି ଲୁଟ୍‌ପାଟ ଓ ଚୋରି କରୁଛନ୍ତି। ରାଜଧାନୀରେ ଏଭଳି ଏକ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବକୁ ଭିଆଇପି ଅତିଥି ବେଶରେ ଆସି ଲୁଟେରାମାନେ ୩ଲକ୍ଷ ଟଙ୍କାର ଗହଣା ଓ ଗିଫ୍ଟ ଚୋରିକରି ନେଇଛନ୍ତି। ଏନେଇ ଝାରପଡାର ରାଜେନ୍‌ ମହାନ୍ତି ଚନ୍ଦ୍ରଶେଖରପୁର ଥାନାରେ ଏକ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ.୧୧୧/୨୦, ଦଫା ୩୭୯ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଉକ୍ତ ମଣ୍ଡପରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ ରହିଛି। ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।
ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ଅଞ୍ଚଳରେ ରହୁଥିବା ରାଜେନ୍‌ ମହାନ୍ତି ତାଙ୍କ ପୁଅ ବାହାଘର ପାଇଁ ଫେବୃୟାରୀ ୨୯ରେ କ୍ରିଷ୍ଟାଲ କୋଟିଆ କଲ୍ୟାଣମଣ୍ଡପରେ ପାର୍ଟିର ଆୟୋଜନ କରିଥିଲେ। ଏହି ବିବାହ ପାର୍ଟିକୁ ବହୁ ଅତିଥି ଆସିଥିଲେ। ରାତି ପ୍ରାୟ ୯ଟା ୧୯ରେ ଦୁଇଜଣ ଯୁବକ ଭିଆଇପି ଅତିଥି ବେଶରେ ମଣ୍ଡପ ଭିତରକୁ ପଶିଥିଲେ। ରାଜେନ ଓ ପରିବାର ଲୋକେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ଥିଲେ। ଅତିଥି ଭାବି ଉକ୍ତ ଦୁଇ ଲୁଟେରାଙ୍କ ଉପରେ କେହି ନଜର ରଖି ନ ଥିଲେ। ଜଣେ ଲୁଟେରା ମଣ୍ଡପଠାରୁ ଦୂରରେ ବସିଥିବାବେଳେ ଅନ୍ୟଜଣେ ବର ଓ କନ୍ୟାଙ୍କ ସମ୍ମୁଖ ଚେୟାରରେ ବସିଥିଲେ। କେଉଁ ଅତିଥି କ’ଣ ସବୁ ଗିଫ୍ଟ ଦେଉଛନ୍ତି, କେଉଁଠାରେ ରଖାଯାଉଛି, ତାହା ଉପରେ ନଜର ରଖୁଥିଲେ। ରାତି ୧୧ଟା ୧୯ରେ ଲୁଟେରା ଜଣକ ବର, କନ୍ୟା ବସୁଥିବା ସ୍ଥାନ ନିକଟକୁ ଉଠିଯାଇ କିଛି ସମୟ ଠିଆ ହୋଇ ସୁଯୋଗକୁ ଅପେକ୍ଷା କରିଥିଲେ। ଅନ୍ୟ ଅତିଥିମାନେ ଦଳଦଳ ହୋଇ ବର ଓ କନ୍ୟାଙ୍କ ସହ ଫଟୋ ଉଠାଉଥିବାବେଳେ ସମ୍ପୃକ୍ତ ଲୁଟେରା ସୁନା ଓ ଟଙ୍କା ରଖାଯାଇଥିବା ବ୍ୟାଗ୍‌କୁ ନେବାକୁ ବାରମ୍ବାର ଉଦ୍ୟମ କରି ବିଫଳ ହୋଇଥିଲେ। ଶେଷରେ ଲୁଟେରା ଜଣକ ବର, କନ୍ୟା ଫଟୋ ଉଠାଉଥିବା ଷ୍ଟେଜ୍‌ ଉପରକୁ ଚଢିଥିଲେ। ସେଠାରେ କିଛି ସମୟ ଛିଡା ହୋଇଥିଲେ। ରାତି ୧୧ଟା ୨୦ରେ ବର, କନ୍ୟାସହ ଫଟୋ ଉଠାଇବାକୁ ଅତିଥିଙ୍କ ଭିଡ଼ ବଢ଼ିବା ସମୟରେ ଲୁଟେରା ଜଣକ ସୋଫା ଉପରେ ଥିବା ସୁନା ବ୍ୟାଗ୍‌କୁ ଧରି ସାଧାରଣ ଲୋକପରି ଧୀରେ ଧୀରେ ଖସି ପଳାଇଥିଲେ। ହେଲେ ସେଠାରେ ଉପସ୍ଥିତ ଥିବା ପରିବାର ଲୋକେ କେହିହେଲେ ଜାଣିପାରି ନ ଥିଲେ। ପରେ ଉକ୍ତ ବ୍ୟାଗ୍‌ ନ ଥିବା ଦେଖି ବର, କନ୍ୟା ଓ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଶେଷରେ ମଣ୍ଡପରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରାଯିବାରୁ ଚୋରି ସମ୍ପର୍କରେ ଜଣାପଡିଥିଲା।

Share