ଅତିଥି ବେଶରେ ଗହଣା ବ୍ୟାଗ୍‌ ନେଇ ଚମ୍ପଟ ଘଟଣା: ଅଭିଯୁକ୍ତଙ୍କୁ ବାନ୍ଧିଲା କମିଶନରେଟ ପୋଲିସ, ଜବତ ହେଲା ଟଙ୍କା

ଭୁବନେଶ୍ୱର,୪।୩(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା କ୍ରିଷ୍ଟାଲ କୋଟିଆ କଲ୍ୟାଣ ମଣ୍ଡପରେ ଚାଲିଥିବା ଏକ ବିବାହ ଉତ୍ସବରେ ଭିଆଇପି ଅତିଥି ସାଜି ଗହଣା ବ୍ୟାଗ୍‌ ଲୁଟ୍‌ର ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ। ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଲେ ସେକ୍‌ ଅବ୍‌ଦୁଲ ଲତିଫ। ତାଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଲତିଫ୍‌ଙ୍କଠାରୁ ୩ ଲକ୍ଷ ୯୮ହଜାର ଟଙ୍କା ସହ ବ୍ୟାଗ୍‌ ମଧ୍ୟ ଜବତ କରାଯାଇଛି।

ପୋଲିସଠାରୁ ମିଳିଥିବା ସୂଚନାନୁଯାୟୀ, ଲତିଫ ଅଭିନବ ଉପାୟରେ ଚୋରି କରୁଥିଲେ। ବାହାଘର ଅଥବା ବ୍ରତଘରେ ଲୋକଙ୍କ ସହ ମିଶିଯାଇ ସମ୍ପର୍କୀୟଙ୍କ ପରି ନାଟକ କରୁଥିଲେ। ଏପରି କି ଲୋକମାନଙ୍କୁ ସର୍ବତ ଏବଂ ସୁପ୍‌ ଆଦି ଯାଚୁଥିଲେ। ଲୋକମାନେ ଅନ୍ୟମନସ୍କ ହେବା ସମୟରେ ନାନାଦି ମୂଲ୍ୟବାନ ଜିନିଷ ଲୁଟିନେଉଥିଲେ। ଏପରି କି ଏକତ୍ରିତ କରିଥିବା ଜିନିଷକୁ ବିବାହ ଅଥବା ବାହାଘର ମଣ୍ଡପ କଡ଼ରେ ଫୋପାଡ଼ି ଶେଷରେ ଏକକାଳୀନ ଭାବେ ନେଇ ଫେରାର ହୋଇଯାଉଥିଲେ। ଖଣ୍ଡଗିରି ଏବଂ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏଭଳି ଘଟଣା ଘଟିବା ପରେ ପୋଲିସ ତଦନ୍ତ କରି ସମ୍ପୃକ୍ତ ଚୋରଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଉକ୍ତ ମଣ୍ଡପରେ ଚୋରି ହେବା ନେଇ ଝାରପଡ଼ାର ରାଜେନ ମହାନ୍ତି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ମାମଲା(ନଂ.୧୧୨/୨୦) ରୁଜୁକରି ତଦନ୍ତ କରୁଥିଲା। ଉକ୍ତ ମଣ୍ଡପରେ ଲାଗିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା।

Share