ଅତିରିକ୍ତ ତହସିଲଦାରଙ୍କୁ ଅଟକ ରଖିଲେ ଉତ୍ତେଜିତ ଲୋକେ: ମୁଖ୍ୟ ଫାଟକ ଭାଙ୍ଗି ପଲିଥିନ୍‌ ବୋହିନେଲେ

ଭୋଗରାଇ, ୨୨।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ନାଛିନ୍ଦା ପଞ୍ଚାୟତ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଅଭାବନୀୟ ଘଟଣା ଘଟିଛି। ‘ଅମ୍ଫନ’ ବାତ୍ୟାରେ ଘର ଭାଙ୍ଗିଯାଇଥିବା ଲୋକଙ୍କୁ ଅଦ୍ୟାବଧି ପଲିଥିନ୍‌ ମିଳି ନ ଥିବାରୁ ଶତାଧିକ ଲୋକେ ଉତ୍ତ୍ୟକ୍ତ ହୋଇ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟକୁ ଦୀର୍ଘ ଘଣ୍ଟା ଧରି ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆରଆଇ କାର୍ଯ୍ୟାଳୟକୁ ଭୋଗରାଇ ଅତିରିକ୍ତ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ଆସିଥିବା ବେଳେ ଲୋକେ ପାଟିତୁଣ୍ଡ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ। ଏହାପରେ ଲୋକେ ମୁଖ୍ୟ ଫାଟକକୁ ଭାଙ୍ଗି କାର୍ଯ୍ୟାଳୟରେ ଷ୍ଟକ ଥିବା ଦୁଇ ଶହ ପଲିଥିନ ବୋହି ନେଇଥିଲେ। କମର୍ଦ୍ଦା ପୋଲିସ ସେଠାରେ ପହଞ୍ଚତ୍ ଅତିରିକ୍ତ ତହସିଲଦାରଙ୍କୁ ଉଦ୍ଧାର କରିଥିଲେ। ଗଣ୍ଡଗୋଳକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ତହସିଲଦାର ସୂଚନା ଦେଇଛନ୍ତି। ସେଠାରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ନିୟନ୍ତ୍ରଣାଧୀନ ରହିଛି ବୋଲି ପୋଲିସ କହିଛି।