ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: କଲମଛାଡ଼ ଆନ୍ଦୋଳନ ପ୍ରତ୍ୟାହୃତ

ଭଣ୍ଡାରିପୋଖରୀ,୫।୨(ଡି.ଏନ୍‌.ଏ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ମଞ୍ଜୁରୀରୋଡ଼ଠାରେ ଥିବା ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ପଶି ଗତ ସୋମବାର ବାଲିମାଫିଆମାନେ ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ଅମଲା ଓ କ୍ଷେତ୍ର କର୍ମଚାରୀଙ୍କ ପକ୍ଷରୁ ଚାଲିଥିବା କଲମଛାଡ଼ ଆନ୍ଦୋଳନ ବୁଧବାର ପୂର୍ବାହ୍ନରେ ପ୍ରତ୍ୟାହୃତ ହୋଇଛି। ସପ୍ତାହକ ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲାପାଳ ଜ୍ଞାନ ଦାସ ତହସିଲଦାର ମୃତ୍ୟଞ୍ଜୟ ଭୂୟାଁଙ୍କୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ହଟିଛି।
ସୂଚନାଯୋଗ୍ୟ, ବାଲି ମାଫିଆମାନଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ବାଇଁ ଓ ରାଜସ୍ବ ନିରୀକ୍ଷକ ରାମନାରାୟଣ ସାମଲ ଆହତ ହୋଇଥିଲେ। ଏହି ଘଟଣାରେ ୨୧ ଜଣଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ତେବେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରାଜସ୍ବ ଅମଲା ଓ କ୍ଷେତ୍ର କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ ବୁଧବାର ଦ୍ୱିତୀୟ ଦିନରେ ପହଞ୍ଚିଥିଲା।