ଅତିରିକ୍ତ ତହସିଲଦାର, ଆର୍‌ଆଇଙ୍କୁ ଆକ୍ରମଣ ଘଟଣା: ୨୧ ଜଣଙ୍କ ନାମରେ ମାମଲା ରୁଜୁ

ଭଣ୍ଡାରିପୋଖରୀ, ୫ା୨(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ତହସିଲ ଅଧୀନ ବନ୍ଦାଳୋ ମଢ଼ିଆଳୀ ପଞ୍ଚାୟତ ବିରିଡ଼ିସ୍ଥିତ ବୈତରଣୀ ନଦୀପଠାରୁ ବେଆଇନ ବାଲି ଚୋରାଚାଲାଣ ରୋକିବାକୁ ଉଦ୍ୟମ କରି ମଞ୍ଜୁରିରୋଡ଼ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଓ ଆର୍‌ଆଇ ରାମନାରାୟଣ ସାମଲ ବାଲିମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି। କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ଆର୍‌ଆଇ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଅତିରିକ୍ତ ତହସିଲଦାର ସ୍ବାଇଁ, ଆର୍‌ଆଇ ସାମଲ ଓ ତହସିଲ କର୍ମଚାରୀ ପ୍ରଦୀପ ଜେନାଙ୍କୁ ଠେଙ୍ଗା, ରଡ୍‌ ଓ ଟେକାରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅତିରିକ୍ତ ତହସିଲଦାର ସ୍ବାଇଁ ସୋମବାର ବିଳମ୍ବିତ ରାତିରେ ସ୍ଥାନୀୟ ଥାନାରେ ବିରିଡ଼ି ଗ୍ରାମର ରମେଶ ରାଉତ, ବନ୍ଦାଳୋ ଗ୍ରାମର ଅମରେଶ ବିଶ୍ୱାଳ, ବାବଲପୁର ଗ୍ରାମର ଅନୀଲ କର, ଶାସନର ଆନନ୍ଦ ସାହୁ, ସଞ୍ଜୟ ସାହୁ, ଭରତ ନାୟକ ଓ ଅନ୍ୟ ୧୫ରୁ ଊର୍ଦ୍ଧ୍ୱ ଅସାମାଜିକ ଯୁବକ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ। ପୋଲିସ ଥାନାରେ ମାମଲା(ନଂ. ୨୮/୨୦) ଦଫା ୩୪୧, ୨୯୪, ୪୫୨, ୩୩୨, ୩୩୩, ୩୫୩, ୩୦୭, ୫୦୬, ୩୪ ରୁଜୁ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି।
ବାଲି ଚୋରାଚାଲାଣ ଅଭିଯୋଗକୁ ଆଧାର କରି ମଞ୍ଜୁରିରୋଡ୍‌ ଆର୍‌ଆଇ ସାମଲ ସୋମବାର ବୈତରଣୀ ନଦୀପଠା ପରିଦର୍ଶନ କରିଥିଲେ। ଏହି ସମୟରେ ନଦୀବନ୍ଧ ଉପରେ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରି ଚାଳକଙ୍କୁ ଗାଡ଼ି ଆର୍‌ଆଇ କାର୍ଯ୍ୟାଳୟ ନେବାକୁ କହିଥିଲେ। ତେବେ ଚାଳକଦ୍ୱୟ ଟ୍ରାକ୍ଟରକୁ ଆଣି ନଦୀବନ୍ଧ ଉପରେ ବାଲି ଖଲାସ କରିଦେଇଥିଲେ। ଏଥିରେ ଆର୍‌ଆଇ ଅସନ୍ତୋଷ ପ୍ରକାଶ କରି ଟ୍ରାକ୍ଟର ନମ୍ବର ସହ ଫଟୋ ଉଠାଇ ପଳାଇ ଆସିଥିଲେ। ଅତିରିକ୍ତ ତହସିଲଦାର ସ୍ବାଇଁ କୌଣସି କାମରେ ତଦନ୍ତ କରିବାକୁ ମଞ୍ଜୁରିରୋଡ଼ ଅଞ୍ଚଳକୁ ଯାଇ ଆର୍‌ଆଇଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ଆର୍‌ଆଇ ଏସବୁ ବିଷୟରେ କହିବା ପରେ ଅତିରିକ୍ତ ତହସିଲଦାର ଆର୍‌ଆଇଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ହେଲେ ସେଠାରୁ ଆସି ଅଧିକାରୀମାନେ ଆର୍‌ଆଇ କାର୍ଯ୍ୟାଳୟରେ ଆଲୋଚନା କରୁଥିବାବେଳେ କେତେକ ବାଲିମାଫିଆ ଓ ଟ୍ରାକ୍ଟର ମାଲିକ ପହଞ୍ଚତ୍ ଆକ୍ରମଣ କରିଥିଲେ।