ଅତିରିକ୍ତ ତହସିଲଦାର ପରିଚୟ ଦେଇ ଜରିମାନା ଆଦାୟ ଅଭିଯୋଗ: ଖବରଦାତାଙ୍କ ବିରୋଧରେ ତହସିଲଦାରଙ୍କ ଏତଲା

ଚନ୍ଦ୍ରଗିରି,୨୩ା୮(ଡି.ଏନ.ଏ.)- ଅତିରିକ୍ତ ତହସିଲଦାର ପରିଚୟ ଦେଇ ବାଲି ଟ୍ରାକ୍ଟର ମାଲିକଙ୍କଠାରୁ ଜରିମାନା ଆଦାୟ କରିବା ଅଭିଯୋଗରେ ଜଣେ ଦୈନିକ ଓଡିଆ ଖବରକାଗଜ (ଧରିତ୍ରୀ ନୁହେଁ) ଏଜେଣ୍ଟ/ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ମୋହନା ଥାନାରେ ଲିଖିତ ଏତଲା ଦେଇଛନ୍ତି ମୋହନା ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ। ପୋଲିସ ନଂ.୧୪୨/୧୯ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ସମ୍ପୃକ୍ତ ଖବରଦାତା ଫେରାର ହୋଇଯାଇଛନ୍ତି। ସୂଚନା ପ୍ରକାରେ, ଅଗଷ୍ଟ ୧୭ତାରିଖ ସନ୍ଧ୍ୟାରେ କର୍ଚ୍ଚବାଡି ବାଲିଘାଟରୁ ଗୋଟିଏ ଟ୍ରାକ୍ଟର ବେଆଇନ ବାଲି ଉଠାଉ ଥିବାବେଳେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ସହଯୋଗୀଙ୍କ ସହ ସମ୍ପୃକ୍ତ ଖବରକାଗଜ ମୋହନା ଏଜେଣ୍ଟ ତଥା ଖବରଦାତା ଟ୍ରାକ୍ଟର ଚାଳକଙ୍କୁ କାଗଜପତ୍ର ମାଗିଥିଲେ। ମାତ୍ର ସେ ଦେଖାଇପାରି ନ ଥିଲେ। ପରେ ଖବରଦାତା ନିଜକୁ ମୋହନା ଅତିରିକ୍ତ ତହସିଲଦାର ବୋଲି ପରିଚୟ ଦେଇ ଚାଳକ ପିତର ମଲ୍ଲିକ ଏବଂ ଅନ୍ୟଜଣେ ଚିଣ୍ଟୁ ଦଳାଇଙ୍କୁ ବୋଲେରୋରେ ବସିବା ପାଇଁ କହିବା ସହ ଟ୍ରାକ୍ଟର ଚାବି କାଢି ନେଇ ଯାଇଥିଲେ। ପରେ ମାମଲା ରଫାଦଫା ପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ। ସେମାନେ ଟଙ୍କା ନ ଦେବାରୁ ତାଙ୍କୁ ମୋହନା ତହସିଲଦାରଙ୍କ ନିକଟରେ ହାଜର କରିଥିଲେ। ସେଠାରେ ପିତର ଓ ଚିଣ୍ଟୁ ଉକ୍ତ ବ୍ୟକ୍ତି ଅତିରିକ୍ତ ତହସିଲଦାର ପରିଚୟ ଦେଇ ୧୫ହଜାର ଟଙ୍କା ମାଗିଥିବା ଅଭିଯୋଗ କରିଥିଲେ। ତହସିଲଦାର ସମସ୍ତ ଘଟଣାର ଅନୁଧ୍ୟାନ କରିବା ସହ ବେଆଇନ ବାଲିଚାଲାଣ ଅଭିଯୋଗରେ ଗାଡ଼ି ମାଲିକଙ୍କଠାରୁ ୭୧୦୫ ଟଙ୍କା ଜରିମାନା ଆଦାୟ କରିଥିଲେ। ପରେ ମୋହନା ଥାନାରେ ବୁଧବାର ନକଲି ଅତିରିକ୍ତ ତହସିଲଦାର ପରିଚୟ ଦେଇଥିବା ସମ୍ପୃକ୍ତ ଖବରଦାତାଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣା ପରେ ସମ୍ପୃକ୍ତ ଖବରଦାତା ଫେରାର ହୋଇଯାଇଛନ୍ତି। ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୋହନା ଥାନାଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି।