ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଢେଙ୍କାନାଳ ଗସ୍ତ ‘୫୫ନଂ. ଏନ୍‌ଏଚ୍‌ କାମ ଶୀଘ୍ର ସାର’

ଢେଙ୍କାନାଳ ଅଫିସ, ୮।୧୨ –  ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଶନିବାର ଢେଙ୍କାନାଳ ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି। ଅପରାହ୍ନରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ସେ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଜିଲାର ଅନ୍ୟତମ ଲାଇଫ୍‌ଲାଇନ କୁହାଯାଉଥିବା ୫୫ନଂ. ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟ ତୁରନ୍ତ ସାରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଟକରୁ ଢେଙ୍କାନାଳ ୪୫କିମି ବିଶିଷ୍ଟ ୫୫ନଂ. ଜାତୀୟ ରାଜପଥ କାମ ଦ୍ରୁତଗତିରେ ଚାଲିଛି। ୨୦୨୦ ଜୁନ୍‌ ସୁଦ୍ଧା ଏହା ଶେଷ ହେବ ବୋଲି ଅଧିକାରୀମାନେ ସୂଚନା ଦେଇଥିଲେ।
ପ୍ରାରମ୍ଭରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଦର ବ୍ଲକ ବଳଦିଆବନ୍ଧ ପଞ୍ଚାୟତର ପାଇକଦହିକୋରସ୍ଥିତ ଗ୍ରାମ୍ୟ ବିଦ୍ୟୁତୀକରଣ, ବିଜୁ ପକ୍କାଘର ପ୍ରକଳ୍ପ ଦେଖିଥିଲେ। ଗୋବିନ୍ଦପୁର ପଞ୍ଚାୟତରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପେନ୍‌ସନ୍‌ ଏବଂ ମମତା ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିସହ ମହର୍ଷି ଦୟାନନ୍ଦ ସର୍ଭିସ ମିଶନ ବୃଦ୍ଧାଶ୍ରମ, ଶିଶୁଗୃହ, କାଠଗଡ଼ାସ୍ଥିତ ସହରାଞ୍ଚଳ ଚିକିତ୍ସାଳୟ, ସ୍ବଧାର ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କ ସମସ୍ୟା ପଚାରି ବୁଝିଥିଲେ।
ବୋରାପଦା ଖମାରସାହିରେ ପାନୀୟଜଳ ଯୋଗାଣ ପ୍ରକଳ୍ପ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଅଙ୍ଗନଓ୍ବାଡି କେନ୍ଦ୍ର ବୁଲି ଦେଖିବା ସହ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ମଧ୍ୟାହ୍ନ ୧୨ଟା ୨୫ରେ ଢେଙ୍କାନାଳ ଟାଉନ ଥାନା ପରିଦର୍ଶନ କରି ଥାନାକୁ ଆସୁଥିବା ଲୋକଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରିବା, ଅଭିଯୋଗକାରୀଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହାପରେ ଗଁଦିଆ ବ୍ଲକର ବିଭିନ୍ନ ପଞ୍ଚାୟତ ବୁଲି କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଡିଇଓ ସୁଧାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।