ଅତ୍ୟଧିକ ଅପିଲ: କୋହଲିଙ୍କୁ ଜରିମାନା

ସାଉଥାମ୍ପଟନ, ୨୪।୬(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଜରିମାନାର ସମ୍ମୁଖୀନ ହୋଇଛନ୍ତି। ଶନିବାର ଖେଳାଯାଇଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଆକ୍ରମଣାତ୍ମକ ଢଙ୍ଗରେ ଅତ୍ୟଧିକ ଅପିଲ କରିଥିବାରୁ ତାଙ୍କ ଉପରେ ମ୍ୟାଚ୍‌ ପାଉଣାର ୨୫ ପ୍ରତିଶତ ଜରିମାନା ଆକାରରେ ଦେବାକୁ କୁହାଯାଇଛି। ଏହି କ୍ରମରେ ସେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଆଚରଣବିଧିର ୨.୧ ନିୟମ ଉଲ୍ଲଂଘନ କରିଛନ୍ତି। ମ୍ୟାଚ୍‌ର ୨୯ତମ ଓଭରରେ ଯଶପ୍ରୀତ ବୁମ୍‌ରାଙ୍କ ଏକ ବଲ ରହମତ ଶାହାଙ୍କ ପ୍ୟାଡ୍‌ରେ ବାଜିଥିଲା। ଏଲ୍‌ବିଡବ୍ଲ୍ୟୁ ପାଇଁ ଅପିଲ ମଧ୍ୟ କରାଯାଇଥିଲା। ତେବେ କୋହଲି ଅମ୍ପାୟର ଆଲିମ ଦାରଙ୍କ ନିକଟକୁ ମାଡିଯାଇ ଜୋରଦାର ଅପିଲ କରିଥିଲେ। କୋହଲି ଏହା ଦ୍ୱାରା ଆଚରଣବିଧିର ଉଲ୍ଲଂଘନ କରିଥିଲେ ବୋଲି ଆଇସିସି ତରଫରୁ କୁହାଯାଇଥିଲା। ସେ ମଧ୍ୟ ତାଙ୍କ ତ୍ରୁଟି ସ୍ବୀକାର କରିବା ସହ ଜରିମାନାକୁ ଗ୍ରହଣ କରିଛନ୍ତି। ଫଳରେ ଏହି ଘଟଣାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ ବୋଲି ଆଇସିସି ମ୍ୟାଚ୍‌ ରେଫରି କ୍ରିସ ବ୍ରଡ କହିଛନ୍ତି। ଦୁଇ ଫିଲ୍ଡ ଅମ୍ପାୟର ଅଲିମ ଦାର ଓ ରିଚାର୍ଡ ଇଲିଙ୍ଗଓ୍ବର୍ଥ, ତୃତୀୟ ଅମ୍ପାୟର ରିଚାର୍ଡ କେଟିଲବରୋ ଓ ଚତୁର୍ଥ ଅମ୍ପାୟର ମାଇକେଲ ଗଫ୍‌ କୋହଲିଙ୍କ ବିରୋଧରେ ଏ ନେଇ ଅଭିଯୋଗ ଆଣିଥିଲେ।
ଉଲ୍ଲେଖଥାଉ କି, ଏପରି ଅଭିଯୋଗରେ ଜଣେ ଖେଳାଳିଙ୍କୁ ସର୍ବାଧିକ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା ଆକାରରେ ଦେବାକୁ ହୋଇଥାଏ ଓ ଅତିକମ୍‌ରେ ଚେତାବନୀ ଦେଇ ସତର୍କ କରାଯାଇଥାଏ। ଏଥି ସହିତ ଗୋଟିଏ କିମ୍ବା ଦୁଇଟି ଡିମେରିଟ ପଏଣ୍ଟ ପେନାଲ୍ଟି ଆକାରରେ ଦିଆଯାଇଥାଏ। ପୂର୍ବରୁ ମଧ୍ୟ କୋହଲି ୨୦୧୮ ଜାନୁୟାରୀ ୧୫ ତାରିଖରେ ଅନୁଷ୍ଠିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରିଟୋରିଆ ଟେଷ୍ଟରେ ଏହି ଭଳି ଆଚରଣ ପ୍ରଦର୍ଶନ କରିଥିଲେ ଓ ଗୋଟିଏ ଡିମେରିଟ୍‌ ପଏଣ୍ଟ ପାଇଥିଲେ।

Share