Categories: ଗଞ୍ଜାମ

ଅତ୍ୟାଧୁନିକ ଆମ୍ବୁଲାନ୍ସ କବାଡିଆ ଦରରେ ବିକ୍ରି

ଫୁଲବାଣୀ ଅଫିସ, ୨୮।୫- କନ୍ଧମାଳ ଜିଲାକୁ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ଶେଷରେ କବାଡିଆ ଦରରେ ବିକ୍ରି ହୋଇଛି। ବର୍ଷବର୍ଷ ଧରି ଖରା ବର୍ଷାରେ ଅକାମୀ ହୋଇ ପଡିବା ପରେ ୩୫ ଲକ୍ଷ ଟଙ୍କାର ଏହି ଆମ୍ବୁଲାନ୍ସକୁ ମାତ୍ର ୯୬ ହଜାର ଟଙ୍କାରେ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିକ୍ରି କରି ଦିଆଯାଇଛି। ଯେଉଁ ଉଦ୍ଦେଶ୍ୟ ନେଇ ଏହି ଆମ୍ବୁଲାନ୍ସ ଜିଲାକୁ ଆସିଥିଲା, ତାହା ଫଳପ୍ରଦ ହୋଇ ପାରିଲା ନାହିଁ। କନ୍ଧମାଳର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାକୁ ଦୃଷ୍ଟିରେ ରଖି ଜିଲା ଟ୍ରକ ମାଲିକ ସଂଘ ସଡକ ପରିବହନ ମନ୍ତ୍ରଣାଳୟକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଅନୁରୋଧ କରିଥିଲା। ମନ୍ତ୍ରଣାଳୟ ମଧ୍ୟ ଟ୍ରକ ମାଲିକ ସଂଘକୁ ୩୫ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଆମ୍ବୁଲାନ୍ସ ଦେଇଥିଲା। ସେତବେଳେ ଆମ୍ବୁଲାନ୍ସକୁ ସାଜସଜ୍ଜା କରି ଉଦ୍‌ଘାଟନ କରିବା ସହ ସହର ପରିକ୍ରମା କରାଯାଇଥିଲା। ଏହି ଅତ୍ୟାଧୁନିକ ଆମ୍ବୁଲାନ୍ସ ପାଇ ସମସ୍ତେ ଖୁସି ହୋଇଥିଲେ। ହେଲେ ତାହା ବେଶୀଦିନ ରହିଲା ନାହିଁ। ଟ୍ରକ ମାଲିକ ସଂଘ ଏହାକୁ ଚଳାଚଳ କରିବାରେ ବିଫଳ ହେଲା। ଏଫ୍‌ସିଆଇ ଗୋଦାମ ରାସ୍ତା ପାର୍ଶ୍ୱରେ ଏହା ୧୦/୧୨ ବର୍ଷ ଧରି ପଡି ରହିଲା।