Categories: ରାଜ୍ୟ

ଅତ୍ୟାଧୁନିକ ସେବା ଯୋଗାଇବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୭ା୮ (ବ୍ୟୁରୋ): ରାଜ୍ୟର ତିନି ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୟୁରୋଲୋଜି, ହୃଦ୍‌ରୋଗ, ନେଫ୍ରୋଲୋଜି ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ମନ୍ତ୍ରୀ କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ଭିମ୍‌ସାର ବୁର୍ଲା ଏବଂ ବ୍ରହ୍ମପୁରସ୍ଥିତ ଏମ୍‌କେସିଜିର ଏହି ତିନି ବିଭାଗର ଚିକିତ୍ସା ସଂକ୍ରାନ୍ତରେ ସମୀକ୍ଷା କରିଥିଲେ। ସମ୍ପୃକ୍ତ ବିଭାଗଗୁଡ଼ିକର ବିଭିନ୍ନ ସୁବିଧା ଅସୁବିଧା ସଂକ୍ରାନ୍ତରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ସମ୍ପୃକ୍ତ ମେଡିକାଲ କଲେଜର ବିଭାଗୀୟ ମୁଖ୍ୟମାନେ ଦର୍ଶାଇଥିବା ମାନବସମ୍ବଳ, ଡାକ୍ତରୀ ଯନ୍ତ୍ରପାତି ଓ ଅନ୍ୟାନ୍ୟ ଆବଶ୍ୟକତାଗୁଡ଼ିକୁ ତର୍ଜମା କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମନ୍ତ୍ରୀ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନି ବିଭାଗକୁ ସମ୍ପୃକ୍ତ ମେଡିକାଲ କଲେଜର କର୍ତ୍ତୃପକ୍ଷ ସେଣ୍ଟର ଅଫ୍‌ ଏକ୍ସିଲେନ୍ସିରେ ପରିଣତ ପାଇଁ ଉଦ୍ୟମ କରିବାକୁ କୁହାଯାଇଛି। ଏସ୍‌ସିବି ମେଡିକାଲ କଲେଜର ୟୁରୋଲୋଜି ଏବଂ ରେନାଲ ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍‌ରେ ରୋବୋଟିକ ସର୍ଜରୀ ବ୍ୟବସ୍ଥା, ଟ୍ରାନ୍ସପ୍ଲାଣ୍ଟ ଆଇସିୟୁର ନବୀକରଣ ସହିତ ତୃତୀୟ ମଡୁଲାର ଓଟି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଛି। ଉପରୋକ୍ତ ତିନି ବିଭାଗ ଉପରେ ଅଧିକରୁ ଅଧିକ ସଂଖ୍ୟାରେ ଗରିବ ଶ୍ରେଣୀର ରୋଗୀ ନିର୍ଭର କରୁଥିବା ବେଳେ ସେମାନେ ଘରୋଇ ଡାକ୍ତରଖାନାକୁ ଯିବା ସମ୍ଭବ ହୋଇପାରୁନାହିଁ। ତେଣୁ ମେଡିକାଲ କଲେଜଗୁଡ଼ିକରେ ସେମାନଙ୍କୁ ଯେଭଳି ଅତ୍ୟାଧୁନିକ ସେବା ଯୋଗାଯିବ ତାହା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ସେ କହିଛନ୍ତି। ୩ ମାସ ପରେ ପୁଣିଥରେ କାର୍ଯ୍ୟର ସମୀକ୍ଷା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା, ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ମେଡିକାଲ ନିଗମ ନିର୍ଦ୍ଦେଶିକା ୟାମିନୀ ଷଡ଼ଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ତିନି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସପାଲ, ସୁପରିଣ୍ଟେଣ୍ଡେଣ୍ଟ, ସମ୍ପୃକ୍ତ ବିଭାଗର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।