Categories: ବାଣିଜ୍ୟ

ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢିପାରେ

ନୂଆଦିଲ୍ଳୀ,୨୨-୧୨: ଆଗାମୀ ଦିନରେ ଅତ୍ୟାବଶ୍ୟକ ସାମଗ୍ରୀ ମୂଲ୍ୟ ବଢିପାରେ। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଏବଂ ପ୍ୟାକେଟଯୁକ୍ତ ଖାଦ୍ୟର ଦରଦାମ ନିକଟରେ ବଢିବା ନେଇ ସମ୍ଭାବନା ରହିଛି। ଏଫ୍‌ଏମ୍‌ସିଜି ଶିଳ୍ପ ସହ ଜଡିତ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପ୍ରଡକ୍ଟ ପ୍ରସ୍ତୁତିରେ ଏବେ ଇନ୍‌ପୁଟ ମୂଲ୍ୟ ବାବଦକୁ କମ୍ପାନୀଗୁଡିକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଏଣୁ ମୂଲ୍ୟର ପରିବର୍ତ୍ତନ ନେଇ ସ୍ଥିତି ଉପୁଜିଛି। ଏହାବାଦ ଜାନୁୟାରୀରେ ଟିଭି ଏବଂ ଫ୍ରିଜ ମୂଲ୍ୟ ବଢିବା ନେଇ ମଧ୍ୟ ଅନୁମାନ କରାଯାଉଛି।
ଗହମ ଏବଂ ଖାଇବା ତେଲ ମୂଲ୍ୟରେ ୧୨ରୁ ୨୦% ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ନେସ୍‌ଲେ, ପାର୍ଲେ ଏବଂ ଆଇଟିସି ଭଳି କମ୍ପାନୀଗୁଡିକ ସୂଚନା ଦେଇଛନ୍ତି। ଏଭଳି ପ୍ରସଙ୍ଗକୁ ଆଧାର କରି ମୂଲ୍ୟ ବୃଦ୍ଧି କିମ୍ବା ପ୍ୟାକେଟ୍‌ ସାଇଜକୁ ଛୋଟ କରିବାକୁ ପଡିପାରେ ବୋଲି ଉଦ୍ୟୋଗ ଜଗତ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ଦୁଗ୍ଧ ମୂଲ୍ୟରେ ବୃଦ୍ଧି ହୋଇଛି। ଏହାବାଦ ନୂଆ ଜ୍ଞାନକୌଶଳକୁ ଆଧାର କରି ବିଦ୍ୟୁତ ସଞ୍ଚୟକାରୀ ଫ୍ରିଜ ଏବଂ ଟିଭି ଦାମ ମଧ୍ୟ ବଢିବା ନେଇ ଶିଳ୍ପ ପ୍ରତିନିଧିମାନେ କହୁଛନ୍ତି। ଆଇଟିସିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବି.ସୁମନ୍ତ କହିଛନ୍ତି ଯେ, ଇନ୍‌ପୁଟ ମୂଲ୍ୟ ବଢିଥିବାରୁ ଏହାକୁ ଧ୍ୟାନରେ ରଖି ବିଭିନ୍ନ ପଦକ୍ଷେପ ଆଗକୁ ନିଆଯିବ। ବଜାରର ପ୍ରମୁଖ କମ୍ପାନୀଗୁଡିକ ଏହି ଆଧାରରେ ମୂଲ୍ୟ ବୃଦ୍ଧି କରିବେ ବୋଲି ସେ ମତ ରଖିଛନ୍ତି।

Share