Categories: ଜାତୀୟ

ଅଦନାନ ସାମିଙ୍କୁ ପଦ୍ମଶ୍ରୀ ସମ୍ମାନ ଦିଆଯିବାକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ,୨୭।୧: ବଲିଉଡ୍‌ ଗାୟକ ଅଦନାନ ସାମିଙ୍କୁ ଚଳିତବର୍ଷ ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରାଯାଇଛି। ଏହାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଏହା ‘ଏନ୍‌ଆର୍‌ସିର ମ୍ୟାଜିକ୍‌ ଏବଂ ସରକାରଙ୍କ ଚାମ୍‌ଚାଗିରି’ ବୋଲି କଂଗ୍ରେସ ମୁଖପାତ୍ର ଜୟବୀର ଶେରଗେଲ କହିଛନ୍ତି। ଅଦନାନଙ୍କ ବାପା ଜଣେ ପାକିସ୍ତାନ ବାୟୁସେନା ଅଧିକାରୀ। ସେ ଭାରତ ବିପକ୍ଷରେ ଯୁଦ୍ଧ ଲଢ଼ିଛନ୍ତି। ତାଙ୍କ ପୁଅକୁ କେଉଁ ଆଧାରରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେପଟେ କାର୍‌ଗିଲ ଯୁଦ୍ଧର ସେନା ଅଧିକାରୀ ମହମ୍ମଦ ସନାଉଲ୍ଲା ଆସାମ ଏନ୍‌ଆରସି ତାଲିକାରୁ ବାଦ୍‌ ପଡ଼ିଥିବାକୁ ନେଇ ସେ କହିଛନ୍ତି ଯେ, ଯିଏ ଦେଶ ପାଇଁ କାମ କରିଛି ତାଙ୍କୁ ସରକାର ଦେଶର ନାଗରିକ ଭାବେ ଗ୍ରହଣ କରୁନାହାନ୍ତି। ଅଥଚ ଯିଏ ଭାରତ ବିରୋଧରେ ଯୁଦ୍ଧ ଲଢ଼ିଛନ୍ତି, ତାଙ୍କ ପୁଅକୁ ପଦ୍ମଶ୍ରୀ ଦିଆଯାଉଛି ବୋଲି ଜୟବୀର କହିଛନ୍ତି। ଅଦନାନଙ୍କ ବାପା ପାକିସ୍ତାନର ହୋଇଥିବାବେଳେ ସେ ଲଣ୍ଡନରେ ଜନ୍ମଗ୍ରହଣ କରିଥିଲେ। ୨୦୧୫ରେ ଅଦନାନ ଭାରତର ନାଗରିକତ୍ୱ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଚଳିତବର୍ଷ ୧୧୮ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।

Share