ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍‌ଟି ଗତିଶୀଳ ହେଉଛି। ତାହା ପୁଣି ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ଗତି କରୁଛି। ହେଡଲାଇଟ୍‌, ଇଣ୍ଡିକେଟର୍‌ ଜଳିବା ସହିତ ହର୍ଣ୍ଣ ବି ବାଜୁଛି। ସବୁଠାରୁ ବଡ଼କଥା ଏଥିରେ ଲଗାଯାଇଥିବା ସବୁ ସାମଗ୍ରୀ ଅଦରକାରୀ ଓ ପୁରୁଣା ସାମଗ୍ରୀ। ଯେକୌଣସି ପାଗରେ ଗତିଶୀଳ ହେବାର କ୍ଷମତା ମଧ୍ୟ ଏହି ବାଇକ୍‌ର ରହିଛି। ଘସିପୁରା ବ୍ଲକ ତରିମୂଳ ହାଇସ୍କୁଲର ଛାତ୍ର ବିଶ୍ୱବନ୍ଧୁ ଓଝା ଏହି ବାଇକ୍‌ ତିଆରି କରିଛନ୍ତି। ସାଧାରଣତଃ ବ୍ୟାଟେରୀ ଚାଳିତ ଗାଡ଼ି ଭଳି ଏହାକୁ ଚାର୍ଜ କରିବାକୁ ପଡ଼େନାହିଁ। ବାଇକ୍‌ଟି ଚାଲିବା ସମୟରେ ହିଁ ଏକ କାଳୀନ ପାଣି, ବାୟୁ ଓ ସୌରଶକ୍ତିରେ ବ୍ୟାଟେରୀ ଚାର୍ଜ ହୋଇଥାଏ। ପାଣି ଟାଙ୍କିରୁ ଟର୍ବାଇନ୍‌ ଯୋଗେ ୧୨ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ସୋଲାର ପ୍ୟାନେଲରୁ ୧୨ଭୋଲ୍‌ଟ, ଆଗରେ ଥିବା ୨ଟି ପଙ୍ଖାରୁ ୮ଭୋଲ୍‌ଟ କରେଣ୍ଟ୍‌ ମିଳିଥାଏ। ଏଥିରେ ଲାଗିଥିବା ୨ଟି ବ୍ୟାଟେରୀ ଚାର୍ଜ ହୋଇ କେବଳ ୨ ଭୋଲ୍‌ଟ କରେଣ୍ଟ୍‌ରେ ବାଇକ୍‌ଟି ଚାଲିଥାଏ। ବଳକା କରେଣ୍ଟ୍‌ରେ ମୋବାଇଲ ଚାର୍ଜ ଓ ଅନ୍ୟାନ୍ୟ କାମରେ ଲାଗିଥାଏ।


ଶିକ୍ଷକ ହାଡ଼ିବନ୍ଧୁ ଓଝା ଓ ସବିତା ଓଝାଙ୍କ ଏକମାତ୍ର ପୁଅ ହେଉଛନ୍ତି ବିଶ୍ୱବନ୍ଧୁ ଓଝା। ପିଲାଟି ଦିନରୁ ଏଭଳି ବିରଳ ସାମଗ୍ରୀ ତିଆରି କରିବାରେ ବିଶ୍ୱବନ୍ଧୁ ରୁଚି ରଖିଥିବା କହିଛନ୍ତି ମାତାପିତା। ପୂର୍ବରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏକ ପାଣିରେ ଚାଳିତ କାର୍‌ ତିଆରି କରି ପ୍ରଶଂସିତ ହୋଇଥିଲେ। ନଜ ଘରେ ରହୁଥିବା କୋଠରିରେ ବିଭିନ୍ନ ସମୟରେ ଏକ୍ସପରିମେଣ୍ଟାଲ ପଦାର୍ଥ ତିଆରି କରିବାକୁ ସେ ସମୟ ଦେଇଥାନ୍ତି। ଆଗକୁ ଏହିଭଳି ଅନେକ ଜିନିଷ ତିଆରି କରିବାକୁ ରୁଚି ରଖିଥିବା ବିଶ୍ୱବନ୍ଧୁ କହିଛନ୍ତି।

Share