ଅଦାଲତ ଅବମାନନା ମାମଲା: ୪ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ, ୨୨ା୧୦: ଆଇନଜୀବୀଙ୍କ କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ଓଡ଼ିଶା ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ରୁଜୁ ହୋଇଥିବା ଅଦାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୪ରେ ଅନୁଷ୍ଠିତ ହେବ। ତେବେ ସୋମବାର ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲା। ଶୁଣାଣି ପରେ ସମସ୍ତ ପ୍ରତିପକ୍ଷ ହାଜର ହୋଇ ଜବାବ ରଖିବା ପାଇଁ ୪ ସପ୍ତାହ ମହଲତ ମାଗିଥିଲେ।
ପ୍ରକାଶଥାଉ କି, ହାଇକୋର୍ଟରେ ୨ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ସୁପାରିସ ଓ ଅନ୍ୟ ଦାବିକୁ ନେଇ ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ କୋର୍ଟ ବର୍ଜନ ଆନ୍ଦୋଳନ ଜାରି ରହିଛି। ଆଇନଜୀବୀଙ୍କ ନିୟମିତ ଆନ୍ଦୋଳନ ଯୋଗୁ ମାମଲାଗୁଡ଼ିକର ଶୁଣାଣି ହୋଇପାରୁ ନ ଥିବା ଦର୍ଶାଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲ ନିଜ ଆଡୁ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଏହି ମାମଲାର ପ୍ରାରମ୍ଭିକ ଶୁଣାଣି ଗତ ୧୫ରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ଥର ପାଇଁ ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ। ଉକ୍ତ ମାମଲାରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ଆଇନ ସଚିବଙ୍କ ସହ ହାଇକୋର୍ଟ ବାର୍‌ ଆସୋସିଏଶନ ଓ ରାଜ୍ୟର ୬୮ଟି ବାର୍‌ ଆସୋସିଏଶନକୁ ମିଶାଇ ମୋଟ୍‌ ୧୩୬ଜଣ ପ୍ରତିପକ୍ଷଙ୍କୁ ଜବାବ ଦାଖଲ ପାଇଁ ନୋଟିସ୍‌ ଜାରି କରାଯାଇଥିଲା।

Share