ଅଦିନିଆ ରଥଯାତ୍ରାକୁ ତୀବ୍ର ବିରୋଧ

ପୁରୀ ଅଫିସ,୩୧।୧: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀରେ ଗୁରୁବାର ରଥକାଠ ଅନୁକୂଳ ହୋଇଛି। ଠିକ୍‌ ଏହିଦିନ ଇସ୍କନ ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ହୋଇଛି ରଥଯାତ୍ରା। ଏହି ଅଦିନିଆ ରଥଯାତ୍ରାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସମସ୍ତେ ଇସ୍କନକୁ କଡ଼ା ବିରୋଧ କରିଛନ୍ତି। ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ। ତୁରନ୍ତ ଓଡ଼ିଶା ସରକାର ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି।
ଗୁରୁବାର ମୁମ୍ବାଇରେ ଗଡ଼ିଛି ମହାପ୍ରଭୁଙ୍କ ରଥ। ଆଷାଢ ଶୁକ୍ଳପକ୍ଷ ଦ୍ୱିତୀୟା ବଦଳରେ ଶ୍ରୀପଞ୍ଚମୀରେ ଅନୁଷ୍ଠିତ ହୋଇଛି ଏହି ରଥଯାତ୍ରା। ଦାଦର ଅଞ୍ଚଳରେ ତିନିଠାକୁରଙ୍କୁ ଗୋଟିଏ ରଥରେ ବସାଇ ପୁରୀ ରଥଯାତ୍ରା ଭଳି ଇସ୍କନ ଅନୁଗାମୀମାନେ ରଥ ଟାଣିଛନ୍ତି। ଶିବାଜୀ ପାର୍କରୁ ରଥଟଣା ଆରମ୍ଭ ହୋଇ ଶିବସେନା ଭବନ, ପ୍ଲାଜା ମାରୁତି ମନ୍ଦିର, ପର୍ତ୍ତୁଗୀଜ୍‌ ଚର୍ଚ୍ଚ, ଗୋଖଲେ ରୋଡ ଆଦି ଅଞ୍ଚଳ ବୁଲିବା ପରେ ପୁଣି ଶିବାଜୀ ପାର୍କରେ ପହଞ୍ଚତ୍ଥିଲା। ସେଠାରେ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାଦ୍ୱାରା ବିଧି ପରମ୍ପରାକୁ ଇସ୍କନ ବେଖାତିର କରିଛି ବୋଲି ସବୁବର୍ଗର ଲୋକେ କହିବା ସହ ନିନ୍ଦା କରିଛନ୍ତି। ଶ୍ରୀମନ୍ଦିର ସେବାୟତ, ଭକ୍ତ, ବୁଦ୍ଧିଜୀବୀ, ଗବେଷକ, ମଠ ମହନ୍ତ, ଜଗନ୍ନାଥପ୍ରେମୀ ସମସ୍ତେ ଏଭଳି ପଦକ୍ଷେପକୁ କଡ଼ା ସମାଲୋଚନା କରିଛନ୍ତି।
ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ତଥା ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଅଦିନରେ ରଥଯାତ୍ରା ନ କରିବା ଲାଗି ଗଜପତି ମହାରାଜା ବାରମ୍ବାର କହିଛନ୍ତି। ଏହା ସତ୍ତ୍ବେ ଇସ୍କନ ପକ୍ଷରୁ ମନଇଚ୍ଛା ରଥଯାତ୍ରା କରାଯାଉଛି। ସେମାନେ ରଥଯାତ୍ରାକୁ ବ୍ୟବସାୟ ବୋଲି ଭାବୁଛନ୍ତି। ରାଜ୍ୟ ସରକାର ଏ ଦିଗରେ ଆଇନ ଆଣି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର ବୋଲି ରାମଚନ୍ଦ୍ର ଦାବି କରିଛନ୍ତି। ସେହିପରି ଅଦିନିଆ ରଥଯାତ୍ରା ସମ୍ପର୍କରେ ଭୁବନେଶ୍ୱର ଇସ୍କନର ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସଙ୍କୁ ପଚାରିବାରେ ସେ କହିଥିଲେ, ଆମେ ଚାହୁଁଛୁ ରଥଯାତ୍ରା ଗୋଟିଏ ସମୟରେ ସବୁଆଡେ ହେଉ। ହେଲେ ସେମାନେ ତାଙ୍କ ମନଇଚ୍ଛା କରୁଛନ୍ତି। ଇସ୍କନର ପ୍ରତ୍ୟେକ ମନ୍ଦିର ସ୍ବୟଂଚାଳିତ। ତେଣୁ ଆମେ କହିଲେ ସେମାନେ ଶୁଣୁନାହାନ୍ତି। ତଥାପି ବି ଆଜିର ରଥଯାତ୍ରା ନେଇ ଆମେ ସେମାନଙ୍କ ସହ କଥା ହୋଇଛୁ। ସେଠାକାର ସରକାର ଚାହିଁଲେ ହିଁ ଏହାକୁ ବନ୍ଦ କରିପାରିବେ।

Share