ଅଦିନିଆ ରଥଯାତ୍ରା ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ; ନିର୍ଦ୍ଧାରିତ ତିଥିରେ କରନ୍ତୁ: ଗଜପତି

ପୁରୀ ଅଫିସ,୧୦ା୯: ଅଦିନରେ ବିଭିନ୍ନ ସ୍ଥାନରେ ମହାପ୍ରଭୁଙ୍କ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତି ଘୋର ଅପମାନ । ଆସନ୍ତା ନଭେମ୍ବର ୧୭ ତରିଖରେ ପଞ୍ଜାବ ଲୁଧିଆନାସ୍ଥିତ ଇସ୍କନ ପକ୍ଷରୁ ରଥଯାତ୍ରା ଅନୁଷ୍ଠିତ ହେଉଥିବା ଜଣାପଡିବା ପରେ ଏହାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିବାଦ କରାଯାଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତେବେ ମଙ୍ଗଳବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଳନ କରିବାକୁ ବିଶ୍ୱବାସୀଙ୍କୁ ସେ ପରାମର୍ଶ ଦେଇଛନ୍ତି । ଶ୍ରୀନଅର ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ଗଜପତି ମହାରାଜା କହିଛନ୍ତି, ଶ୍ରୀଗୁଣ୍ଡିଚା ଯାତ୍ରା ସନାତନ ଶାସ୍ତ୍ର ଆଧାରିତ ପରମ୍ପରାରେ ହୋଇଥାଏ । ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଗୁଣ୍ଡିଚା ଯାତ୍ରା ହୋଇଥାଏ । ରଥଯାତ୍ରା ସରିଲେ ଶ୍ରୀବିଗ୍ରହମାନେ ରତ୍ନସିଂହାସନ ବିଜେ କରିଥାନ୍ତି । ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀରେ ମହାପ୍ରଭୁ ରତ୍ନସିଂହାସନ ବିଜେ କରିଥାନ୍ତି । ବିଶ୍ୱର ସବୁ ଜଗନ୍ନାଥପ୍ରେମୀ ନିର୍ଦ୍ଧାରିତ ତିଥିରେ ଘୋଷଯାତ୍ରା କରନ୍ତୁ । ଶ୍ରୀମନ୍ଦିରର ପରମ୍ପରାକୁ ଉଲ୍ଲଂଘନ କରି ପବିତ୍ର ଯାତ୍ରା କରନ୍ତୁ ନାହିଁ ବୋଲି ଗଜପତି ମହାରାଜା କହିଛନ୍ତି ।

Share