ଅଦ୍ୱିତୀୟ ସ୍ରଷ୍ଟା ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ

ବାଲେଶ୍ୱର ଅଫିସ, ୧୪।୧-ବାଲେଶ୍ୱର ଜିଲା ନୂଆପାଢ଼ୀସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ସମାରୋହ ସୋମବାର ଅନୁଷ୍ଠିତ ହୋଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସ ସଭାପତିତ୍ୱ କରି ଜୟନ୍ତୀ ପାଳନର ପ୍ରାସଙ୍ଗିକତା ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ ଯେ, ସାଂସ୍କୃତିକ ତୀର୍ଥକ୍ଷେତ୍ର ବାଲେଶ୍ୱର ଜିଲାର ମଲ୍ଲିକାଶପୁର ଗ୍ରାମରେ ୧୮୪୩ ଜାନୁୟାରୀ ୧୩ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଫକୀରମୋହନ ଜନ୍ମଗ୍ରହଣ କରିଥିଲେ। ତାଙ୍କର କାଳଜୟୀ ସାହିତ୍ୟ କୃତିଗୁଡ଼ିକ ମଧ୍ୟରୁ ‘ପେଟେଣ୍ଟ ମେଡ଼ିସିନ’ ଓ ‘ରେବତୀ’ ଗଳ୍ପ ନାରୀ ଅସ୍ମିତାର ଶ୍ରେଷ୍ଠ ପରିଚିତି। ପାଠକୀୟ ଭାବମାନସ ସୃଷ୍ଟିର ଅନ୍ୟତମ ବିନ୍ଧାଣି ଫକୀରମୋହନ ଥିଲେ ପ୍ରଚଣ୍ଡ ସ୍ବାଭିମାନୀ। ତାଙ୍କ ପ୍ରତିଟି ସୃଷ୍ଟି ଥିଲା ଜାତୀୟ ଚେତନାରେ ସମୃଦ୍ଧ। ଉତ୍କଳ ବିଶ୍ୱବିଦ୍ୟାଳୟ, ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ଅବସରପ୍ରାପ୍ତ ପ୍ରଫେସର ଡ. ବିଷ୍ଣୁପ୍ରିୟା ଓତା ବରେଣ୍ୟ ଅତିଥି ଓ ବକ୍ତା ରୂପେ ଯୋଗଦେଇ ଫକୀରମୋହନଙ୍କର ସାହିତି୍ୟକ ଜୀବନର ବିଶେଷତ୍ୱ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ।
ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସଚିଦାନନ୍ଦ ଦେହୁରୀ ଅତିଥି ପରିଚୟ, ଅଧ୍ୟାପିକା ସିପ୍ରା ସାଗରିକା ସଂଯୋଜନା କରିଥିଲେ। ବିଶ୍ୱବିଦ୍ୟାଳୟର କୁଳସଚିବ ଅମର ସିଂ ସୋରେନ, ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡ. ପ୍ରକାଶ ଚନ୍ଦ୍ର ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ସମାରୋହ ଅବସରରେ ଦୂର ନିରନ୍ତର ଶିକ୍ଷା ବିଭାଗର ଓଡ଼ିଆ ଅଧ୍ୟାପିକା ଡ. ସଙ୍ଗୀତା ସ୍ବାଇଁଙ୍କର ‘ଅର୍ଦ୍ଧ ଶତାବ୍ଦୀର ଓଡ଼ିଆ କବିତା, ଏକ ଭିନ୍ନ ଅନୁଶୀଳନ’ (ସମାଲୋଚନା) ଓ ‘ଇନ୍ଦ୍ରଧନୁର ଛାଇ’ (କବିତା) ଶୀର୍ଷକ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇ ସଭାର ଗୌରବ ବୃଦ୍ଧିରେ ସହାୟକ ହୋଇଥିଲା। ଶେଷରେ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଫକୀରମୋହନଙ୍କର ‘ରାଣ୍ଡି ପୁଅ ଅନନ୍ତା’ ଗଳ୍ପକୁ ଡ. ଅର୍ଜୁନ ଚରଣ କର ନାଟ୍ୟ ରୂପାନ୍ତର ଓ ଡ. ଆର୍ତ୍ତବନ୍ଧୁ ଜେନା ନିର୍ଦ୍ଦେଶନାରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇ ଦଶର୍ର୍କମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।

Share