ଅଧାପନ୍ତରିଆ ମେହେରୁଣି ପୋଲ: ଆପ୍ରୋଚ୍‌ ବୁଲାଣି ରାସ୍ତା ନେଲାଣି ୨୦ ଜୀବନ

ମନମୁଣ୍ଡା, ୨୫।୭ (ଡି.ଏନ.ଏ)
ବହୁ ପୁରାତନ ମେହେରୁଣି ପୋଲ ଦୁର୍ବଳ ହୋଇ ପଡିଥିବାରୁ ମନମୁଣ୍ଡାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ କରାଯାଇଛି । ଏହି କାମ ଗତ ୨୦୧୭ ଫେବୃୟାରୀ ୧୫ରୁ ଆରମ୍ଭ ହୋଇଥିଲା ଏବଂ ଏହା ୧୫ ଫେବୃୟାରୀ ୨୦୧୯ ସୁଦ୍ଧା ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ କାମ କଛପଗତିରେ ଚାଲିଥିବାରୁ ଅଦ୍ୟାବଧି ପିଲର ନିର୍ମାଣ ସରିନାହିଁ । ଏ ସମ୍ପର୍କରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଇଂ. ଧ୍ୟାନଚାନ୍ଦଙ୍କୁ ପଚାରିବାରୁ ଉଭୟ ପାର୍ଶ୍ୱର ଆପ୍ରୋଚ ଜମି ଅଧିଗ୍ରହଣ ଏଥିରେ ବାଧକ ସାଜିଥିବା କହିଛନ୍ତି । ଜମି ଅଧିଗ୍ରହଣ ସରି ନ ଥିବାରୁ କାମ ଆଗେଇ ପାରୁନାହିଁ । ଏହା ଅଗଷ୍ଟ ସୁଦ୍ଧା ହୋଇଯିବ ଏବଂ ତା ପରେ କାମ ଦ୍ରୁତଗତିରେ କରାଯାଇ ସମ୍ପୂର୍ଣ୍ଣ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଉକ୍ତ କାମର ଫଳକ ଅଦ୍ୟାବଧି ଲଗାଯାଇନାହିଁ । ତେବେ ଏହାର ବ୍ୟୟ ଅଟକଳ ୮ କୋଟି ୧୭ ଲକ୍ଷ ୪୨ ହଜାର ୬୫୨ ଟଙ୍କା ବୋଲି ଏନଏଚ ଏସଡିଓ ଗଣେଷ ବେହେରା କହିଛନ୍ତି। ପୁରାତନ ପୋଲର ଆପ୍ରୋଚ ବୁଲାଣି ଯୋଗୁ ବହୁ ଦୁର୍ଘଟଣା ଘଟିଛି । ଏହି ବିପଦପୂର୍ଣ୍ଣ ବୁଲାଣିରେ ଏନଏଚ ତରଫରୁ ସଙ୍କେତ ବୋର୍ଡ ଲଗାଯାଇ ନ ଥିବାରୁ ଏକ ନିର୍ଦ୍ଧିଷ୍ଟ ଜାଗାରେ ହିଁ ଦୁର୍ଘଟଣା ହେଉଛି । ଦୁର୍ଘଟଣାରେ ଅଦ୍ୟାବଧି ପ୍ରାୟ ୨୦ଜଣଙ୍କ ଜୀବନ ଚାଲିଗଲାଣି । ନୂତନ ପୋଲ ହେଲେ ମୋଡାଣି ସିଧା ହୋଇପାରନ୍ତା ଓ ଦୁର୍ଘଟଣା ହୁଅନ୍ତା ନାହିଁ ବୋଲି ଜନସାଧାରଣ ମତପ୍ରକାଶ କରିଛନ୍ତି ।