ଅଧାବାଟରୁ ବରଙ୍କୁ ଉଠାଇ ନେଲା ପୋଲିସ, ମଙ୍ଗୁଳା ରହିଲେ କନ୍ୟା

ଆଠଗଡ଼,୧୨।୩(ସ୍ବ.ପ୍ର.): କଟକ ଜିଲା ବାଙ୍କି ଥାନା ଅନ୍ତର୍ଗତ କଦଳୀବାଡ଼ି ଗ୍ରାମରେ ଜମିଜମା ଗଣ୍ଡଗୋଳକୁ ନେଇ ୨୦୧୮ ଫେବୃୟାରୀ ୭ ତାରିଖରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଉକ୍ତ ହତ୍ୟାକାଣ୍ଡରେ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ ସ୍ବାଇଁଙ୍କ ସମ୍ପୃକ୍ତି ଥିବା ପୋଲିସ ତଦନ୍ତ କରି ଜାଣିବାକୁ ପାଇଥିଲା। ଘଟଣା ପରଠାରୁ ପ୍ରକାଶ ଫେରାର ହୋଇଯାଇଥିବାରୁ ତାଙ୍କୁ ଗିରଫ କରାଯାଇପାରି ନ ଥିଲା। ଗୁରୁବାର ପ୍ରକାଶ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁରର ନବୀନ ବେହେରା(ଛଦ୍ମନାମ)ଙ୍କ ଝିଅ ରୂପା(ଛଦ୍ମାନାମ)ଙ୍କୁ ବିବାହ ପାଇଁ ତାଳବରକୋଟରୁ ଆଠଗଡ଼ ଏନ୍‌ଏସି ଅନ୍ତର୍ଗତ ବିରକିଶୋରପୁର ଶିବ ମନ୍ଦିରକୁ ବରବେଶରେ ଫୁଲ ସଜ୍ଜିତ କାର୍‌ରେ ଆସୁଥିଲେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥାଇ ଫେରାର ଥିବାରୁ ପୋଲିସ ପ୍ରକାଶଙ୍କ ଗତିବିଧି ଉପରେ ନଜର ରଖିଥିଲେ। ଗୁରୁବାର ମଧ୍ୟାହ୍ନରେ ପ୍ରକାଶ ଆଠଗଡ଼ ସହର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସ୍ଥାନୀୟ ସାପୁଆ ନଦୀ ସେତୁଠାରେ ପୂର୍ବରୁ ଜଗି ରହିଥିବା ପୋଲିସ ତାଙ୍କୁ କାବୁ କରି ତୁରନ୍ତ ବାଙ୍କି ଥାନାକୁ ନେଇ ଯାଇଥିଲା। କନ୍ୟାଘର ପକ୍ଷରୁ ଶିବ ମନ୍ଦିରରେ ବିବାହର ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଥିବାବେଳେ କନ୍ୟା ମଙ୍ଗୁଳା ହୋଇସାରିଥିବା କନ୍ୟାଙ୍କ ପରିବାର ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ପ୍ରକାଶଙ୍କର ଏହି ଘଟଣାରେ ସମ୍ପୃକ୍ତିକୁ ନେଇ ପରିବାରପକ୍ଷରୁ ଅସ୍ବିକାର କରାଯାଇଛି। ଯଦି ପୂର୍ବରୁ ସୂଚନା ପାଇଥାନ୍ତେ ତେବେ ଆଇନର ଆଶ୍ରୟ ନେଇଥାନ୍ତେ ବୋଲି ପ୍ରକାଶଙ୍କ ପରିବାର ପକ୍ଷରୁ କୁହାଯାଇଛି।

Share