Categories: ଖେଳ

ଅଧାରୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସିରିଜ ସ୍ଥଗିତ

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ଶନିବାର ସ୍ଥଗିତ କରି ଦିଆଯାଇଛି। କରୋନା ଭାଇରସର ଭୟାବହତାରୁ ବର୍ତ୍ତିବା ଲାଗି ନ୍ୟୁଜିଲାଣ୍ଡ ସରକାରଙ୍କ ଦ୍ୱାରା ବିଦେଶ ଫେରନ୍ତା ଯାତ୍ରୀଙ୍କ ଲାଗି ନୂଆ କଟକଣା ଘୋଷଣା କରିଛି। ରବିବାର ମଧ୍ୟରାତି ସୁଦ୍ଧା ଦେଶକୁ ଫେରୁଥିବା ପ୍ରତ୍ୟେକ ଯାତ୍ରୀ ନିଜକୁ ୧୪ ଦିନ ପାଇଁ କ୍ୱାରାଣ୍ଟାଇନାରେ ରହିବାକୁ ଶନିବାର ପରାମର୍ଶ ଦେଇଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିନ୍ଦା ଆର୍ଡେର୍ନ। ଯାତ୍ରୀଙ୍କ ପାଇଁ ନୂଆ କଟକଣା ଯୋଗୁ ନ୍ୟୁଜିଲାଣ୍ଡ କ୍ରିକେଟ ଦଳକୁ ସ୍ବଦେଶ ଫେରିବାକୁ ପଡ଼ିବ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ (ଏନଜେଡ୍‌ସି) ପକ୍ଷରୁ କୁହାଯାଇଛି। ଏଥିସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜରେ ମଧ୍ୟ ଖେଳିପାରିବ ନାହିଁ। କାରଣ ଖେଳାଳିଙ୍କୁ ୧୪ ଦିନ ପାଇଁ ସଭିଙ୍କଠାରୁ ଦୂରେଇ ରହିବାକୁ ପଡ଼ିବ, ଯାହାକି ବାଧ୍ୟତାମୂଳକ। ଏହି ଦୁଇ ସିରିଜ୍‌ ପରେ ଖେଳାଯାଇପାରିବ ବୋଲି ଏନ୍‌ଜେଡ୍‌ସି ପକ୍ଷରୁ କୁହାଯାଇଛି। ଉଲ୍ଲେଖଥାଉ, ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇଥିଲା। ମ୍ୟାଚ୍‌କୁ ଘରୋଇ ଅଷ୍ଟ୍ରେଲିଆ ୭୧ ରନ୍‌ରେ ଜିତି ନେଇଥିଲା।

Share