ଅଧାରୁ ଛୁଟି ହେଲା ବିଦ୍ୟାଳୟ : ମଧ୍ୟାହ୍ନଭୋଜନ ପରେ ଘରକୁ ଫେରିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୭।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲାରେ ଏବେ ବର୍ଷା ଲାଗିରହିଛି। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଦୃଷ୍ଟିରୁ ଶନିବାର ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଜିଲାପାଳ ଡ.ବୃନ୍ଦା ଡି. ନିର୍ଦ୍ଦେଶ ଦେଇଛନ୍ତି। ତେବେ ସକାଳୁ ପ୍ରବଳ ବର୍ଷା ଯୋଗୁ ଜିଲା ପ୍ରଶାସନ ଏହି ନିଷ୍ପତ୍ତି ଗ୍ରହଣ କରିଥିବାବେଳେ ଛୁଟି ଘୋଷଣା ବିଳମ୍ବ ହୋଇଛି। ଶନିବାର ସକାଳୁଆ ବିଦ୍ୟାଳୟ ରହିଥିବାରୁ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଯାଇଥିଲେ। ତେଣୁ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟାହ୍ନଭୋଜନ ପିଲାଙ୍କୁ ଖାଇବାକୁ ଦେବା ପରେ ଏହି ଛୁଟି କରାଯିବାକୁ ସମସ୍ତ ବିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଦାରିଙ୍ଗବାଡ଼ି ବିଇଓ ବ୍ରହ୍ମାନନ୍ଦ ରାଉତ ଜିଲାପାଳଙ୍କ ନିର୍ଦ୍ଦେଶକୁ ସମସ୍ତ ସିଆରସିସିଙ୍କୁ ଏହି ବନ୍ଦ ସମ୍ପର୍କରେ ଜଣାଇଛନ୍ତି ଏବଂ ମଧ୍ୟାହ୍ନଭୋଜନ ଖାଇବାକୁ ଦେବା ପରେ ବିଦ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିବା ବିଇଓ କହିଛନ୍ତି ା ଏକାଧିକ ବିଦ୍ୟାଳୟ ଛାତରୁ ପାଣି ଗଳୁଥିବା ବେଳେ ଅଧିକାଂଶ ବିଦ୍ୟାଳୟକୁ ଯିବା ପାଇଁ ସବୁଦିନିଆ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ସେହିପରି ବିଦ୍ୟାଳୟ ପରିସରରେ ପାଣି ଜମି ରହିଥିବାରୁ ବହୁ ଛାତ୍ରୀଛାତ୍ର ଶନିବାର ଅସୁବିଧା ଭୋଗ କରିଛନ୍ତି। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ପ୍ରଦାନ ପାଇଁ ଅଭିଭାବକ ମହଲରେ ନିବେଦନ କରାଯାଇଛି।

Share