ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ ଛାଡିଥିବା ରାକେଶ ଏବେ ଫାଇଟର ଜେଟ୍ ଓ କ୍ଷେପଣାସ୍ତ୍ରର ବିଭିନ୍ନ ପାର୍ଟସ୍ ତିଆରି କରୁଥିବା ଜଣାପଡିଛି। ରାକେଶ କୁହନ୍ତି ତାଙ୍କ ପିତାଙ୍କ ଓ୍ବାର୍କଶପ୍ରେ କାମ କରିବା ହିଁ ତାଙ୍କର ପ୍ରକୃତ ଶିକ୍ଷା ଥିଲା। ତାଙ୍କ ପିତା ନଟ୍ ଓ ବୋଲ୍ଟ ତିଆରି କରନ୍ତି। ରାକେଶ କୁହନ୍ତି ବୋର୍ଡ ପରୀକ୍ଷା ସମୟରେ ସେ ବହୁତ ପରିଶ୍ରମ କରିଥିଲେ ହେଲେ ନା ସେ କିଛି ବୁଝି ପାରିଥିଲେ ନା ପରୀକ୍ଷା ବେଳେ ତାଙ୍କର କିଛି ମନେ ପଡିଥିଲା। ତେଣୁ ସେ ଅଧାରୁ ପାଠ ଛାଡି ଦେଇଥିଲେ। ତାଙ୍କ ମତରେ ଶିକ୍ଷା ନିହାତି ଆବଶ୍ୟକ ହେଲେ ଡିଗ୍ରୀ ସବୁକିଛି ନୁହେଁ। କେବଳ ଗୋଟିଏ ଡିଗ୍ରୀ ଆମକୁ ସଫଳ କରି ନ ଥାଏ। ଏହାପାଇଁ ଦୂରଦୃଷ୍ଟି, ସାହସ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଆଜାଦ ଇଞ୍ଜିନିୟରିଂର ସଂସ୍ଥାପକ ତଥା ଏମ୍ଡି ରାକେଶ ଚୌପଦାର କୁହନ୍ତି, ସ୍କୁଲ ଛାଡିବା ପରେ ସେ ଭାବିଥିଲେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟହୀନ ହୋଇଯାଇଛି। ଆଉ ସବୁଠାରୁ ବେଶି ଖରାପ ଲାଗୁଥିଲା ଯେତେବେଳେ ମୋର ପରିବାର ଲୋକେ ଓ ବନ୍ଧୁ ବାନ୍ଧବ ମୋର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରୁଥିଲେ। କିନ୍ତୁ ଯେତେବେଳେ ମୁଁ ବାପାଙ୍କ ଓ୍ବାର୍କଶପରେ କାମ କଲି ସେତେବେଳେ ମୋତେ ମେକାନିକାଲ ଇଞ୍ଜିନିୟରିଂ ପ୍ରତି ରୁଚି ବଢିଥିଲା ବୋଲି କୁହନ୍ତି ରାକେଶ। ଆଉ ଏବେ ତାଙ୍କ କମ୍ପାନୀ ଯୁଦ୍ଧ ବିମାନ ସୁଖୋଇ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଓ ବିଭିନ୍ନ ବିଜୁଳି କମ୍ପାନୀର ପାର୍ଟସ୍ ନିର୍ମାଣ କରୁଥିବା ସେ ପ୍ରକାଶ କରିଛନ୍ତି।