Categories: ଜାତୀୟ

ଅଧାରେ ରହିଗଲା ଦୁବାଇ ସ୍ବପ୍ନ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଅମରାବତୀ,୨୩।୯: ସୋସିଆଲ ମିଡିଆରେ ଟିକ୍‌ଟକ୍‌ ଭିଡିଓର ଏବେ ଟ୍ରେଣ୍ଡ ଚାଲିଥିବା ବେଳେ ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ହେଲେ କାହାରିବି ଚେତା ପଶୁନି। କିଛି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନାର ନିଜାମାବାଦରେ। ସୂଚନାଯୋଗ୍ୟ, ତେଲେଙ୍ଗାନାର ଗୋନୁଗୋପାଲ୍ଲା ଗଁାରେ ରହୁଥିବା ଦିନେଶ(୨୩) ନାମକ ଜଣେ ଯୁବକ ନିଜର କିଛି ସାଙ୍ଗଙ୍କ ସହ ଶୁକ୍ରବାର ନିଜାମାବାଦର ଏକ ନଦୀକୁ ବୁଲି ଯାଇଥିଲେ। ଟିକ୍‌ଟକ୍‌ରେ ଭିଡିଓ କରିବା ପାଇଁ ଦିନେଶ ପାଣିକୁ ଓହ୍ଲାଇଥିଲେ। ସେ ଭିଡିଓ କରୁଥିବା ବେଳେ ହଠାତ୍‌ ନଦୀର ଜଳସ୍ତର ବଢ଼ିଯିବାରୁ ତାଙ୍କ ସହ ୨ଜଣ ସାଙ୍ଗ ମଧ୍ୟ ଭାସିଯାଇଥିଲେ। ହେଲେ ୨ଜଣ ଭାସୁଥିବାର ଦେଖି ଗଁାଲୋକେ ତାଙ୍କୁ ଉଦ୍ଧାର କରିଥିବା ବେଳେ ଦିନେଶ ଭାସିଯାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିନେଶଙ୍କୁ ବହୁ ଖୋଜାଖୋଜି କରିଥିଲା। ତେବେ ଦୀର୍ଘ ୪୮ ଘଣ୍ଟାର ଉଦ୍ୟମ ପରେ ଅର୍ଥାତ୍‌ ରବିବାର ଯୁବକଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ସୂଚନାମୁତାବକ ଦିନେଶଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଚାକିରି ପାଇଁ ଦୁବାଇ ଯିବାର ଥିଲା। ହେଲେ ଅଧାରେ ରହିଗଲା ତାଙ୍କର ସବୁ ସ୍ବପ୍ନ। ଦିନେଶଙ୍କ ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share