ଅଧାରେ ଶ୍ରେଣୀଗୃହ, ବାରଣ୍ଡାରେ ପଢୁଛନ୍ତି ପିଲା

ବୋରିଗୁମ୍ମା,୩୧ା୧(ଡି.ଏନ୍‌.ଏ.) – ବୋରିଗୁମ୍ମା ବ୍ଲକର ୩୦ଟି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ଖୋଲିବା ପାଇଁ ଲକ୍ଷ୍ୟ ରହିଥିଲା। ସେହି ଅନୁସାରେ ନୂଆ ଉଚ୍ଚ ବିଦ୍ୟାଳୟ ନିର୍ମାଣ ନ କରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ରୂପାନ୍ତରିତ କରିବା ଯୋଜନା କରାଗଲା। ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉଚ୍ଚ ବିଦ୍ୟାଳୟ ହେବ, ସେଠାରେ ନୂଆ ଶ୍ରେଣୀଗୃହ ନିର୍ମାଣ ହେବା କଥା। କିନ୍ତୁ ପ୍ରଶାସନିକ ଅବହେଳା ପାଇଁ ଅଧିକାଂଶ ବିଦ୍ୟାଳୟରେ ନୂଆଗୃହ ଅଧାପନ୍ତରିଆ ପଡ଼ିଛି। ଏହାର ଏକ ଦୃଷ୍ଟାନ୍ତ ହେଉଛି ବୋରିଗୁମ୍ମା ବ୍ଳକ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ। ୨୦୦୯ରେ ବଡ଼ମାଝୀଗୁଡ଼ା ଉଚ୍ଚ ବିଦ୍ୟାଳୟ ମାନ୍ୟତା ପାଇବା ପରେ ୨୦୧୧ରେ ନୂତନ ଶ୍ରେଣୀଗୃହ ପାଇଁ ଅନୁଦାନ ମିଳିଥିଲା। ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ନୂତନ ଶ୍ରେଣୀଗୃହ ନିର୍ମାଣ କରିବାକୁ ସରକାର ଅନୁମତି ଦେଇଥିଲେ। ବିଡ଼ମ୍ବନା, ନଅ ବର୍ଷ ଧରି ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଅଧାରେ ଅଟକିଛି। ୪୫ ଲକ୍ଷ ବଜେଟ୍‌ରେ ହେବାକୁ ଥିବା ଦୁଇମହଲା କୋଠାରେ ୮ଟି ଶ୍ରେଣୀଗୃହ ରହିଛି। ଏବେ ବି କବାଟ, ଝରକା ଲାଗି ନ ଥିବା ବେଳେ ପାଣି ସୁବିଧା କି ବିଦ୍ୟୁତ ସଂଯୋଗ ମଧ୍ୟ ହୋଇନାହିଁ। ବର୍ତ୍ତମାନ ନବମ ଓ ଦଶମ ଶ୍ରେଣୀର ପିଲା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ପାଠ ପଢୁଛନ୍ତି। ନବମରେ ୫୭ ଓ ଦଶମରେ ୧୭ ଜଣ ଛାତ୍ରୀଛାତ୍ର ପଢୁଛନ୍ତି। ପ୍ରଥମରୁ ଅଷ୍ଟମ ଭିତରେ ୧୦୫ ଜଣ ପିଲା ରହିଛନ୍ତି। ବର୍ତ୍ତମାନ ମାତ୍ର ୪ଟି ଶ୍ରେଣୀଗୃହ ଥିବାରୁ ସପ୍ତମ ଓ ଅଷ୍ଟମ ଶ୍ରେଣୀ ପିଲା ବାରଣ୍ଡାରେ ପାଠ ପଢୁଛନ୍ତି। ବଡ଼ମାଝୀଗୁଡ଼ା ବିଦ୍ୟାଳୟକୁ ପାଖାପାଖି ୧୦ଟି ଗାଁର ପିଲା ପଢ଼ିବାକୁ ଆସୁଛନ୍ତି। ତୁରନ୍ତ ଅଧାରେ ଅଟକିଥିବା ଶ୍ରେଣୀଗୃହ ଶେଷ କରିବାକୁ ଦାବି ହୋଇଛି। ବିଭାଗୀୟ ଏସ୍‌ଡିଓ କହିଛନ୍ତି, ଅଳ୍ପ ଦିନ ମଧ୍ୟରେ ନୂତନ ଶ୍ରେଣୀଗୃହ ନିର୍ମାଣ କାମ ଶେଷ କରାଯିବ।

Share