ଅଧା ପ୍ରସବ ବେଳେ ଲେବର୍‌ ରୁମ୍‌ରୁ ପଳାଇଲେ ଡାକ୍ତର: ନବଜାତ ଶିଶୁପୁତ୍ର ମୃତ୍ୟୁକୁ ନେଇ ପରିବାରଲୋକଙ୍କ ଅଭିଯୋଗ

ରଣପୁର,୧୯।୩(ବ୍ୟୁରୋ): ଅଧା ପ୍ରସବ ବେଳେ ଲେବର ରୁମ୍‌ ଛାଡ଼ି ପଳାଇଲେ ଡାକ୍ତର। ଚିକିତ୍ସା ଅବହେଳାରୁ ନବଜାତକ ଶିଶୁର ମୃତ୍ୟୁ। ନୟାଗଡ଼ ଜିଲା ରଣପୁର ବ୍ଲକ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏଭଳି ଅଘଟଣ ଘଟିଥିବା ନେଇ ଗୁରୁବାର ମହିଳାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।

ସୂଚନାନୁଯାୟୀ, ଉକ୍ତ ବ୍ଲକ ଅନ୍ତର୍ଗତ ସାନକିଲ ଗ୍ରାମର ପ୍ରମୋଦ ସାହୁଙ୍କ ସ୍ତ୍ରୀଙ୍କ ପ୍ରସବ ବେଦନା ହୋଇଥିଲା। ତାଙ୍କୁ ପରିବାରଲୋକେ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ଅଧା ପ୍ରସବ ସମୟରେ ଡାକ୍ତର ଛାଡ଼ି ପଳାଇଥିଲେ। ତେବେ ତାଙ୍କର ଏକ ଶିଶୁପୁତ୍ର ଜନ୍ମ ହେବା ସମୟରେ ଷ୍ଟାଫ୍‌ ନର୍ସମାନେ ଶିଶୁପୁତ୍ରକୁ ଭିଡି ବାହାର କରୁଥିବା ବେଳେ ତାର ମୃତ୍ୟୁ ଘଟିଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ପ୍ରମୋଦ ତାଙ୍କ ସ୍ତ୍ରୀଙ୍କୁ ଏହି ସ୍ବାସ୍ଥ୍ୟକେନ୍ଦ୍ରର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କାମ କରୁଥିବା ଡାକ୍ତରଙ୍କ ନିକଟରେ ଚିକିତ୍ସା କରାଉଥିଲେ। ତେବେ ଆସନ୍ତା ମାସରେ ତାଙ୍କ ତାରିଖ ଦିଆଯାଇଥିଲେ ହେଲେ ହେଁ ତାଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ହେଲେ ଡାକ୍ତର ପ୍ରସବ ପାଇଁ ତାଙ୍କୁ ଇଞ୍ଜେକ୍‌ସନ ଦେଇ ଅଧାରୁ ଛାଡ଼ି ଚାଲିଯିବା ଫଳରେ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପ୍ରମୋଦ ଏବଂ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ବୁଧବାର ରାତିରୁ ଡାକ୍ତରଖାନାରେ ଉତ୍ତେଜନା ଲାଗି ରହିଥିବା ସୂଚନା ମିଳିଛି।

Share