ଅଧା ବାଟରେ ଶ୍ରୀଜୀଉ

ନୀଳଗିରି, ୧୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରିର ପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଶନିବାର ରଥରେ ବିଜେ ଶ୍ରୀଜୀଉ ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଆସି ଅଧାବାଟରେ ଅଟକିଛନ୍ତି। ରବିବାର ଯଥା ରୀତିକ୍ରାନ୍ତି ପରେ ଶ୍ରୀଜୀଉ ମନ୍ଦିରର ରତ୍ନସିଂହାସନରେ ବିଜେ କରିବେ ବୋଲି ସହକାରୀ ପୂଜକ ହରିବନ୍ଧୁ କର କହିଛନ୍ତି ା
ଅପରାହ୍ନରେ ରଥରେ ବିଜେ ଶ୍ରୀଜୀଉଙ୍କ ନିକଟରେ ଆଦିସେବକ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ବାହୁଡ଼ା ଯାତ୍ରା ରଥଟଣା ଅନୁକୂଳ କରିଥିଲେ। ପରେ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ସ୍ଥାନୀୟ ସହକାରୀ ଜିଲାପାଳ ରାକେଶ କୁମାର ପଣ୍ଡା ପତାକା ହଲାଇ ଭକ୍ତଙ୍କୁ ରଥ ଟଣିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହରିବୋଲ, ଶଙ୍ଖ, ହୁଳହୁଳି, ଭଜନକୀର୍ତ୍ତନ ଆଦି ଶଦ୍ଦରେ ବଡ଼ଦାଣ୍ଡ ଉଚ୍ଛୁଳି ପଡ଼ିଥିଲା। ଶ୍ରୀଜୀଉଙ୍କ ରଥକୁ ଟାଣିବା ପାଇଁ ଭକ୍ତଙ୍କ ଗହଳି ଲାଗିଥିଲା। ଭକ୍ତଙ୍କ ଗହଳରେ ବଡ଼ଦାଣ୍ଡରେ ଶ୍ରୀଜୀଉ ସ୍ଥାନେ ସ୍ଥାନେ ରହଣି କରି ଅଧାବାଟରେ ଅଟକିଥିଲେ। ଶ୍ରୀଜୀଉଙ୍କ ଦର୍ଶନ ଓ ରଥ ଟାଣିବା ଲାଗି ସ୍ଥାନୀୟ ଗଡ଼ଜାତ ସମେତ ଜିଲା ତଥା ପଡ଼ୋଶୀ ମୟୂରଭଞ୍ଜ ଜିଲାର ବିଭିନ୍ନ ଅଞ୍ଚଳରୁ ପାଖାପାଖି ୫୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ସମାଗମ ହୋଇଥିଲେ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ୫ ପ୍ଲାଟୁନ୍‌ ଫୋର୍ସ ରଥ ଟଣା ସମେତ ବିଭିନ୍ନ ସ୍ଥାନରେ ନିୟୋଜିତ ହୋଇଥିଲେ। ବାହୁଡ଼ାଯାତ୍ରାର ପ୍ରଥମ ଦିନ ଶାନ୍ତିଶୃଙ୍ଖଳାରେ ରଥ ଟଣା ସମ୍ପନ୍ନ ହୋଇଥିବା ଥାନା ଅଧିକାରୀ ନଳିତା ମୋଦୀ କହିଛନ୍ତି। ଏହି ଅବସରରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସମେତ ନିର୍ବାଚିତ ଜନପ୍ରତିନିଧି ରଥ ଟଣାରେ ସାମିଲ ଥିଲେ। ଉଦ୍ଧାରକାରୀ ଦଳ ଭାବରେ ଅଗ୍ନି ସେବା ବିଭାଗ କର୍ମଚାରୀ, ଭକ୍ତଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ ଓ ସୂଚନା କେନ୍ଦ୍ର ଆଦି ଖୋଲାଯାଇଥିଲା। ରଥଦାଣ୍ଡରେ ଅସ୍ଥାୟୀ ବ୍ୟବସାୟ ପ୍ରତିଷ୍ଠାନ ସହିତ ପ୍ରଦର୍ଶନୀ ପଡ଼ିଆ ଶୋଭାବର୍ଦ୍ଧନ କରିଥିଲା। ସନ୍ଧ୍ୟାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥ ଉପରେ ସାଂସ୍କୃତିକ କାଯର୍‌ୟକ୍ରମ ଅନୁଷ୍ଠିତ ହେବ ବୋଲି ଗୋବର୍ଦ୍ଧନ ବିଶ୍ୱାଳ ସୂଚନା ଦେଇଛନ୍ତି।