ନିୟମ କୋହଳ ନ ହେଲେ ଆନ୍ଦୋଳନ

ଭୁବନେଶ୍ୱର,୩ା୩(ବ୍ୟୁରୋ): ରାଜ୍ୟ ସରକାର ପୁନର୍ବାର ଟ୍ରାଫିକ ଧରପଗଡ଼ କଡାକଡି କରିଛନ୍ତି। ଦୁଇଥର ୩ ମାସ ଲେଖା ମହଲତ ଦେବା ପରେ ସରକାର ମାର୍ଚ୍ଚ ୧ ତାରିଖରୁ ପୁଣି କଠୋର ହୋଇଛନ୍ତି। ଟ୍ରାଫିକ ଧରପଗଡ଼ ଜୋରଦାର ହୋଇଥିବା ବେଳେ ଧରାପଡୁଥିବା ନିୟମ ଉଲ୍ଲଂଘନକାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଟ୍ରାଫିକ ଧରପଗଡ କୋହଳ କରିବାକୁ କଂଗ୍ରେସ ଦାବି କରିଛି। ଯଥାଶୀଘ୍ର ସରକାର ନିଷ୍ପତ୍ତିର ପୁନର୍ବିଚାର କରିବା ସହ ଅନ୍ୟ ରାଜ୍ୟ ଭଳି ଜରିମାନା କମାଇବାକୁ ଦାବି କରାଯାଇଛି। ନଚେତ୍‌ ଆନ୍ଦୋଳନକୁ ଓହ୍ଲାଇବାକୁ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଚେତାବନୀ ଦେଇଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସୁରେଶ କହିଛନ୍ତି ଯେ, ଟ୍ରାଫିକ ନିୟମ ଉଲ୍ଲଙ୍ଘନ ନାମରେ ସାଧାରଣ ଜନତାଙ୍କୁ ଅତ୍ୟାଚାର କରାଯାଉଛି। ପୋଲିସ ଓ ଆର.ଟି.ଓ. ଗାଡି ଚାଳକଙ୍କୁ ଯେଭଳି ବ୍ୟବହାର କରୁଛନ୍ତି ତାହା ହିଟ୍‌ଲରି ଶାସନ ଓ ଇଦ୍‌ ଅମିନ୍‌ ଶାସନକୁ ବଳି ଯାଇଛି। ଗାଡି ଚାଳକଙ୍କ ଉପରେ ଯେଉଁ ଜରିମାନା ଲାଗୁ କରାଯାଉଛି, ତାହା ଗାଡିର କ୍ରୟ ମୂଲ୍ୟ ଠାରୁ ଅଧିକ। ରୋଗୀ, ଛାତ୍ର, ପରୀକ୍ଷାର୍ଥୀ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଯାଉଥିବା ଗାଡିକୁ ଅଟକାଇ ଗାଳିଗୁଲଜ କରିବା ସହ ଥାନାକୁ ଜବରଦସ୍ତ ନିଆଯାଉଛି। ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ସ୍ପୃହଣୀୟ ନୁହେଁ। ଲୋକମାନେ ଭୋଟ ଦେଇ ବିଜେଡି ଓ ଭାଜପାକୁ ସରକାରରେ ବସାଇଛନ୍ତି। ମାତ୍ର ସରକାରକୁ ଆସିବା ପରେ ଲୋକମାନଙ୍କ ପ୍ରତି ଉଭୟ ଦଳ ଯେଭଳି ଅମାନୁଷିକ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଜନସାଧାରଣଙ୍କୁ ଅତିଷ୍ଠ କଲାଣି। କେନ୍ଦ୍ର ଓ ରାଜ୍ୟ ସରକାର ଯଦି ନିୟମ ପରିବର୍ତ୍ତନ ନ କରନ୍ତି ଏବଂ ପୋଲିସ ଓ ଆର.ଟି.ଓ. ତାଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ସଂଶୋଧନ ନ କରନ୍ତି, ତେବେ ଆର.ଟି.ଓ., କମିଶନର ଅଫିସ ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ସୁରେଶ ଚେତାବନୀ ଦେଇଛନ୍ତି। ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ସରକାରୀ କର୍ମଚାରୀଙ୍କ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଭଦ୍ର ବ୍ୟବହାର ଲୋକଙ୍କୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କ ଧନ ଜୀବନ ରକ୍ଷା କରିବା ସରକାରଙ୍କ ଦାୟିତ୍ୱ। ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟରେ ୫୦ପ୍ରତିଶତ ଦୁର୍ଘଟଣା ହ୍ରାସ ପାଇଛି। ସମସ୍ତେ ନିୟମକୁ ପାଳନ କରିବା ଦରକାର ବୋଲି ସେ କହିଛନ୍ତି।

Share